୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ କୁମାର ରାଉତ (୨୭)। ସେ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଖଣ୍ଡପଡ଼ା ଜେଲ ହାଜତରେ ଥିଲେ। ତେବେ ସମ୍ପୃକ୍ତ କଏଦୀ ଅତି ଚତୁରତାର ସହ ଜୁନ୍‌ ୧୦ ତାରିଖରେ ପ୍ରଥମେ ଖଣ୍ଡପଡ଼ା ଜେଲରୁ ଚମ୍ପଟ ମାରିଥିଲେ। ପୋଲିସ ତାଙ୍କୁ ଗିରଫ କରି ପୁଣି ଜେଲ ହାଜତକୁ ପଠାଇଦେଇଥିଲା। ମାତ୍ର ପୁନର୍ବାର ଚଳିତ ମାସ ୩ ତାରିଖରେ ଖଣ୍ଡପଡ଼ା ଜେଲରୁ ସେ ଖସି ପଳାଇଥିଲେ। ଏହି ଘଟଣାରେ ୨ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ। କଏଦୀ ତପନଙ୍କୁ ପୋଲିସ ଗିରଫ କରି ପୁଣି ଥରେ ଜେଲରେ ରଖିଥିବା ବେଳେ ଗତ ୯ ତାରିଖରେ ଭାପୁର କୋର୍ଟରେ ହାଜର ପାଇଁ ଆଣିଥିଲା। କୋର୍ଟ କାର୍ଯ୍ୟ ଶେଷ ପରେ ତାଙ୍କୁ ପୋଲିସ ଭ୍ୟାନରେ ବସାଇବା ପାଇଁ ନିଆଯାଉଥିବାବେଳେ ପୋଲିସକୁ ଧକ୍କା ମାରି ସେ ତୃତୀୟ ଥର ପାଇଁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ନୟାଗଡ଼ ଏସ୍‌ପି ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଶେଷରେ ଅଭିଯୁକ୍ତ ତପନଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଫତେଗଡ଼ ଥାନା ଆଇଆଇସି ନିରଞ୍ଜନ ଧିର ସଦଳବଳ ଚଢ଼ାଉ କରି ପଦ୍ମାବତୀ ଗ୍ରାମ ମୁଣ୍ଡରେ ଥିବା ବୁଦାଳିଆ ସ୍ଥାନରୁ ଗିରଫ କରିଛନ୍ତି।