୩ଡି ଆନିମେଟେଡ୍‌ ଭିଡିଓ ଶେୟାର କରି ଯୋଗ କରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫିଟ୍‌ନେସ୍‌କୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି। ସୋମବାର ମୋଦି ଟୁଇଟରରେ ନିଜର ଏକ ୩ଡି ଆନିମେଟେଡ୍‌ ଭିଡିଓ ଜାରି କରିଛନ୍ତି। ଏଥିରେ ଲୋକଙ୍କୁ ଫିଟ୍‌ ରହିବା ପାଇଁ ନିୟମିତ ଭାବେ ଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଏହି ଭିଡିଓକୁ ଟୁଇଟରେ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ସେ ଫିଟ୍‌ନେସ୍‌ ବିଶେଷଜ୍ଞ କି ଚିକିତ୍ସା ବିଶେଷଜ୍ଞ ନୁହଁନ୍ତି। ତେବେ ବହୁ ବର୍ଷରୁ ଯୋଗ ଅଭ୍ୟାସ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ମୋଦି କହିଛନ୍ତି। ତେଣୁ ଆଶା କରୁଛି ସମସ୍ତେ ଏହାକୁ ନିୟମିତ ଭାବେ ଅଭ୍ୟାସ କରିବାକୁ ଆରମ୍ଭ କରିବେ। ସୂଚନାଯୋଗ୍ୟ, ରବିବାର ‘ମନ କି ବାତ’ରେ ଜଣେ ଶ୍ରୋତା ମୋଦିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ, ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଭଳି ସମୟରେ ମୋଦି ନିଜର ଫିଟ୍‌ନେସ୍‌ର କିଭଳି ଯତ୍ନ ନେଉଛନ୍ତି। ଏହା ଉପରେ ମୋଦି ଆଲୋଚନା କରିବା ସହ ସୋସିଆଲ ମିଡିଆରେ ଯୋଗ ଅଭ୍ୟାସର ତାଙ୍କର କିଛି ଭିଡିଓ ଜାରି କରିବେ ବୋଲି କହିଥିଲେ। ଯେଉଁଥିରୁ ସାଧାରଣ ଲୋକଙ୍କୁ ଲାଭ ମିଳିପାରିବ। ତେବେ ଶ୍ରୋତାଙ୍କୁ ଦେଇଥିବା କଥାକୁ ରକ୍ଷା କରି ମୋଦି ସୋମବାର ଟୁଇଟରରେ ଭିଡିଓ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ।

Share