୨.୧୧% ସୁଧ ହାରରେ ଟଙ୍କା ଫେରିଲା, ବାକି କୁଆଡ଼େ ଗଲା

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ରଖିଥିଲେ। ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ସମୟରେ ୮ ପ୍ରତିଶତ ସୁଧ ମିଳିବ ବୋଲି ଆକଳନ କରାଯାଇଥିଲା। ମାତ୍ର ୨.୧୧ ପ୍ରତିଶତ ସୁଧ ହାରରେ ଟଙ୍କା ଫେରସ୍ତ ଆସିଛି। ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ ଅର୍ଥକୁ ରଖିଥିବା ସରକାର କହୁଥିଲେ। କିନ୍ତୁ ବର୍ତ୍ତମାନ ତାହା ୮ପ୍ରତିଶତରୁ ୨.୧୧ ପ୍ରତିଶତ କିପରି ହେଲା ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେଉଥିବା ସୁଧ ହାରରୁ ମଧ୍ୟ ଏହା କମ୍‌ ରହିଛି। ବାକି ସୁଧ ଟଙ୍କା କୁଆଡେ ଗଲା। ସାଢେ ୪ କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଅର୍ଥକୁ ଯେଉଁ ସରକାରୀ ଅଧିକାରୀମାନେ ଅଧିକ ସୁଧ ମିଳିବ କହି ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ଠାରୁ ବାକି ସୁଧ ଅର୍ଥ ଆଦାୟ କରାଯାଉ। ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯାଉଥିଲା। ଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଜରୁରୀ। ଏହାସହ ଯେଉଁ ସରକାରୀ ଅଧିକାରୀ ମନ୍ଦିର ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ କାଯର୍‌ୟାନୁଷ୍ଠାନ ନେବା ସହ ଏହି କ୍ଷତି କାହିଁକି ହେଲା ତାହାର ସମୀକ୍ଷା ହେଉ। ୟେସ୍‌ ବ୍ୟାଙ୍କ ସ୍ଥିତି ଖରାପ ହେବା ଏବଂ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ସତ୍ତ୍ୱେ ଜଗନ୍ନାଥଙ୍କ ଜମା ଅର୍ଥ ଫେରି ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ସୀତାରାମନଙ୍କୁ ନାଏକ ଧନ୍ୟବାଦ ଜଣାଇଛନ୍ତି।