୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଠାକୁରମୁଣ୍ଡା,୨୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ ଗ୍ରାମବାସୀମାନେ ବିଦ୍ୟାଳୟର ଶ୍ରେଣୀ ଗୃହରେ ତାଲା ପକାଇ ଦେଇଛନ୍ତି। ଏଥିଯୋଗୁଁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳକୁ ଏବିଇଓ ଯାଇ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିବା ବେଳେ ଶିକ୍ଷକ ବଦଳି ନ ହେବାଯାଏ ତାଲା ଝୁଲି ରହିବ ବୋଲି ସେମାନେ ଜିଦ ଧରି ରହିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସବିତକାନ୍ତ ସୋରେନ ଏବଂ ସହକାରୀ ଶିକ୍ଷକ ସପନ କୁମାର ମହାନ୍ତ ନିଜ ଇଛା ଅନୁସାରେ ବିଦ୍ୟାଳୟକୁ ଯିବାଆସିବା କରିବା ସହିତ ପିଲାମାନଙ୍କୁ ପାଠ ନ ପଢ଼ାଇ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି। ଏଥିନେଇ ଗ୍ରାମବାସୀ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଶ୍ରେଣୀ ଗୃହଗୁଡ଼ିକରେ ତାଲା ପକାଇ ଦେଇଥିଲେ। ବ୍ଲକ ଶିକ୍ଷାଅଧିକାରୀ ଛୁଟିରେ ଥିବାରୁ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଭାଗୀରଥି ମହାନ୍ତି ଓ କାୟା ମୁର୍ମୁ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମବାସୀ ଜିଦ୍‌ରେ ଅଟଳ ରହିବାରୁ ଶିକ୍ଷା ବିଭାଗର ଅଧିକାରୀମାନେ କୌଣସି ନିଷ୍ପତ୍ତି ନେଇ ପାରି ନ ଥିଲେ। ବିଇଓ ଛୁଟିରେ ଥିବାରୁ ଏହାର ସମାଧାନ ହୋଇ ପାରି ନାହିଁ ବୋଲି ଏବିଇଓ ପ୍ରକାଶ କରିଛନ୍ତି । ତେବେ ଶ୍ରେଣୀ ଗୃହଗୁଡିକରେ ତାଲା ପଡ଼ିବା ଯୋଗୁଁ ଛାତ୍ରୀଛାତ୍ରମାନଙ୍କର ପାଠ ପଢାରେ ଅସୁବିଧା ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟରେ ମୋ