୨ ଶିକାରୀ ଗିରଫ,ବନ୍ଧୁକ ଜବତ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ସେକ୍ସନ ଅଧୀନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ ପିଠାଗୋଳା ଗ୍ରାମର ମନୋଜ ସାହୁ ଓ ଶ୍ରୀମନ୍ତ ସାହୁ। ପଣା ସଂକ୍ରାନ୍ତି ସମୟରେ ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ସମୂହ ଶିକାର ବା ପାରିଧିରେ ଜଙ୍ଗଲ ଯାଇଥାନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ଜଙ୍ଗଲକୁ ଯାଇ ଶିକାର କରିଥାନ୍ତି। ତେବେ ଶିକାରୀମାନେ ଜଙ୍ଗଲକୁ ଯାଇଥିବା ଖବରପାଇ ବନ ବିଭାଗ କର୍ମଚାରୀମାନେ ରବିବାର ଚଢ଼ାଉ କରିଥିଲେ। ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।