Categories: ଫୁରସତ

୨ ଶହ ବର୍ଷ ଧରି ଭ୍ରମଣକାରୀ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି ଏହି ଗାଁର ଲୋକେ…

ଶୀତଦିନେ ସାଇବେରିଆ ଅଞ୍ଚଳରୁ ପ୍ରବଳ ଥଣ୍ଡା ଏବଂ ଖାଦ୍ୟ ଅଭାବରୁ ରକ୍ଷା ପାଇବା ପାଇଁ ବହୁ ପକ୍ଷୀ ଭାରତର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଆସିଥାନ୍ତି। ଶୀତଦିନ ବିତାଇ ପୁଣି ସେମାନେ ନିଜ ନିଜ ଦେଶକୁ ବାହୁଡ଼ି ଯାଇଥାନ୍ତି। ବେଙ୍ଗାଲୁରୁର ମାଣ୍ଡଓ୍ବା ଜିଲାର କୋକ୍କେରବେଲ୍ଲୁର ଗାଁ ନିକଟରେ ଥିବା ପକ୍ଷୀ ଅଭୟାରଣ୍ୟକୁ ପ୍ରତିବର୍ଷ ଭ୍ରମଣକାରୀ ପକ୍ଷୀ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି। ଗତ ୨ ଶହ ବର୍ଷ ଧରି ଗାଁ ଲୋକେ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି। ପକ୍ଷୀମାନେ ଘାସ ଲଟାରେ ବସା ତିଆରି କରି ଅଣ୍ଡା ଦେଇଥାନ୍ତି। ତେଣୁ ଏହି ଗାଁ ଲୋକେ ବର୍ଷା ଦିନ ପରେ ପରେ ନିଜ ନିଜ ଘର ଛାତ ଉପରେ ଘାସ ଲଟା ବିଛାଇବା ଆରମ୍ଭ କରିଥାନ୍ତି। ସେମାନଙ୍କ ଘର ଛାତରେ ଭ୍ରମଣକାରୀ ପକ୍ଷୀ ବସା ତିଆରି କରି ଅଣ୍ଡା ଦେଇଥାନ୍ତି। ଏହାକୁ ଶୁଭ ସଙ୍କେତ ବୋଲି ଗାଁ ଲୋକେ ବିଶ୍ୱାସ କରନ୍ତି। ସେହିପରି ଗଛରେ ବସା ତିଆରି କରି ଅଣ୍ଡା ଦେଉଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ଗାଁ ଲୋକେ ବ୍ୟବସ୍ଥା କରିଥାନ୍ତି। ଗଛମୂଳେ ସେମାନେ ଗୃହପାଳିତ ପ୍ରାଣୀଙ୍କୁ ବାନ୍ଧନ୍ତି। ଏହାଦ୍ୱାରା କୌଣସି ସରିସୃପ ଗଛରେ ଚଢ଼ି ଅଣ୍ଡା ନଷ୍ଟ କରି ପାରନ୍ତି ନାହିଁ। ଏଠାକୁ ଭ୍ରମଣକାରୀ ପକ୍ଷୀ ଶ୍ରୀଲଙ୍କା, ଥାଇଲାଣ୍ଡ, କାମ୍ବୋଡ଼ିଆରୁ ମଧ୍ୟ ଆସିଥାନ୍ତି ବୋଲି ଲୋକେ କୁହନ୍ତି। କର୍ନାଟକ ସରକାର ଭ୍ରମଣକାରୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥାନ୍ତି।

Share