Categories: ଫୁରସତ

୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ

ଓ୍ବାଶିଂଟନ: ଦକ୍ଷିଣ ଗ୍ରୀସ୍‌ର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ। ୟୁନିଭର୍ସିଟି ଅଫ୍‌ ଏଥେନ୍ସ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ମାନବ ବିଜ୍ଞାନୀମାନେ ଏହି ଖପୁରିର ସନ୍ଧାନ କରିଥିଲେ। ଦୀର୍ଘବର୍ଷର ଗବେଷଣା ପରେ ଅଧିକ ନଷ୍ଟ ହୋଇଯାଇଥିବା ଏହି ଦୁଇଟି ନିଅଁଣ୍ଡଥ୍ରାଲ( ଆଦିମାନବ)ଙ୍କ ଖପୁରି ବୋଲି ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ୟୁରୋପରେ ୪୫ହଜାର ବର୍ଷ ପୂର୍ବର ମଣିଷଙ୍କ ଜୀବାଶ୍ମ ମିଳିଥିଲା । କିନ୍ତୁ ଏହି ଖପୁରୀ ୨ ଲକ୍ଷ ୧୦ ହଜାର ବର୍ଷ ତଳର ବୋଲି ସ୍ପଷ୍ଟ ହୋଇଛି ଓ ଏହା ଆଫ୍ରିକା ବାହାରେ ରହୁଥିବା ଆଦିମାନବଙ୍କର। ଆଫ୍ରିକାରେ ୩ ଲକ୍ଷ ବର୍ଷ ପୂର୍ବରୁ ଆଦିମ ମଣିଷ ରହୁଥିଲେ ଓ ଦେଢ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରୁ ୟୁରୋପ୍‌କୁ ସେମାନେ ଆସିଥିବା ଯାହା କୁହାଯାଉଥିଲା ତା’ର ବହୁ ବର୍ଷ ପୂର୍ବରୁ ୟୁରୋପରେ ରହୁଥିବାର ପ୍ରମାଣ ଏହିି ଖପୁରିରୁ ମିଳିଛି। ଗବେଷଣାରେ ସାମିଲ ହୋଇଥିବା ଜର୍ମାନୀର ଟ୍ୟୁବିଂଜେନ ୟୁନିଭର୍ସିଟିର ଗବେଷକ କଟ୍ରିନା ହାର୍ବଟି କହନ୍ତି,ଏହି ମଣିଷ କାହିଁକି ବିଲୁପ୍ତ ହୋଇଗଲେ ତାହାର କାରଣ ଜଣାପଡିନି। ଏ ସମ୍ପର୍କିତ ତଥ୍ୟ ନେଚର ଜର୍ନାଲରେ ପ୍ରକାଶ ପାଇଛି। ମିଳିଥିବା ଦୁଇଟି ଖପୁରି ମଧ୍ୟରୁ ଗୋଟିକର ନାମକରଣ କରାଯାଇଛି ଏପିଡିମା-୨ । ଏହା ୧ଲକ୍ଷ ୭୦ହଜାର ବର୍ଷ ତଳର। ଏହା ନିଅଁଣ୍ଡଥ୍ରାଲଙ୍କ ଖପୁରି। ଏହାପରେ ଅନ୍ୟଟିର ନାମ ରହିଛି ଏପିଡିମା-୧, ଯାହା ଏହାଠାରୁ ଅହୁରି ୪୦,୦୦୦ ବର୍ଷ ପୂର୍ବର ଅର୍ଥାତ ୨ଲକ୍ଷ ୧୦ହଜାର ବର୍ଷ ପୂର୍ବର ଓ ଏହା ହୋମୋ ସାମ୍ପିଏନ(ନିଅଁଣ୍ଡଥ୍ରାଲଙ୍କଠାରୁ ପୁରୁଣା ମଣିଷ)ଙ୍କ ଖପୁରି।

Share