୨ ମାସ ପରେ ଢେଙ୍କାନାଳ ସହରକୁ ଫେରିଲା କରୋନା

ଢେଙ୍କାନାଳ ଅଫିସ,୧୪ା୬: ୨ ମାସ ପରେ ଢେଙ୍କାନାଳ ସହରକୁ ପୁଣି କରୋନା ଫେରିଛି। ରବିବାର ସହରରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସହରସ୍ଥିତ କାରିଗର ସାହି ଅଭିନନ୍ଦନ ଗାର୍ଡେନ ପରିସରରେ ରହୁଥିବା ଜଣେ ପୂଜକ ଏବଂ ତାଙ୍କ ମା’ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୁଇଜଣ ଯାକ ଜୁନ୍‌ ୬ରେ ଉତ୍ତରପ୍ରଦେଶରୁ ଆସି ଅଭିନନ୍ଦନ ଗାର୍ଡେନ ପରିସର ଘରେ କ୍ୱାରାଣ୍ଟାଇନ୍‌ରେ ରହୁଥିଲେ। ୧୧ ତାରିଖରେ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠା ଯାଇଥିଲା। ତେବେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୨ ଜଣଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି।
ସୂଚନାଯୋଗ୍ୟ, ଆଜି ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ରେ ପହଞ୍ଚିଛି। ଜିଲାରେ ମୋଟ୍‌ ୩୩ ଜଣ ସୁସ୍ଥ ହୋଇଛନ୍ତି।