୨ ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ୍‌: ବରିମୁଣ୍ଡା ରାସ୍ତାରେ ଲୁଟେରା-ମହିଳା ଧସ୍ତାଧସ୍ତି

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡା ଗଁ। ରାସ୍ତା ଏବଂ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ-୨ ଅଞ୍ଚଳରେ ଶୁକ୍ରବାର ୨ଜଣ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନିଆଯାଇଛି। ବରିମୁଣ୍ଡା ଗାଁ ରାସ୍ତାରେ ଯେଉଁ ଲୁଟ ହୋଇଛି ସେଥିରେ ଭାରତୀ ସାମନ୍ତରାୟଙ୍କ ସାହସିକତା ଦେଖିବାକୁ ମିଳିଛି। ତାଙ୍କ ବେକରୁ ସୁନାଚେନ୍‌ ଲୁଟ ବେଳେ ସେ ଜଣେ ଲୁଟେରାଙ୍କୁ ମାଡ଼ି ବସିଥିଲେ। ଏହି ସମୟରେ ଲୁଟେରା ଓ ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ଅଭିଯୋଗ ଅନୁଯାୟୀ, ପଟିଆ ବାସିନ୍ଦା ପ୍ରେମାନନ୍ଦ ସାମନ୍ତରାୟ ଓ ତାଙ୍କ ସ୍ତ୍ରୀ ଭାରତୀ ବାଳକାଟିର ଏକ ଆଶ୍ରମକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ଦୁହେଁ ହଂସପାଳ ଦେଇ କୁଆଖାଇ ନଦୀ କଡ଼ ବରିମୁଣ୍ଡା ରାସ୍ତାରେ ଯାଉଥିଲେ। ଦୁଇଜଣ ଲୁଟେରା ମୁହଁରେ କପଡ଼ା ବାନ୍ଧି ଏକ ବାଇକରେ ଆସି ଭାରତୀଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲେ। କିନ୍ତୁ ଭାରତୀ ଲୁଟେରାଙ୍କୁ ମାଡ଼ି ବସିଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସାଥିରେ ଥିବା ଅନ୍ୟ ଜଣେ ଲୁଟେରା ତାଙ୍କ ସ୍ବାମୀ ଓ ଭାରତୀଙ୍କୁ ଧକ୍କା ମାରିଥିଲେ। ଭାରତୀ ଗାଡ଼ିରୁ ପଡିଯାଇ ଆହତ ହୋଇଥିଲେ ମଧ୍ୟ ଚେନ୍‌କୁ ଛାଡ଼ିି ନ ଥିଲେ। ଲୁଟେରା ଚେନ୍‌ର ଅଧା ଅଂଶ ନେଇ ଫେରାର ହୋଇଯାଇଥିଲେ। ସେହିପରି ରାତି ପ୍ରାୟ ୭ଟାରେ କାନନବିହାର ଫେଜ୍‌-୨ରେ ଜଣେ ମହିଳା ଘର ନିକଟ ବଜାରକୁ ପରିବା କିଣିବା ପାଇଁ ଆସିଥିଲେ। ସେ ଚାଲି ଚାଲି ଯାଉଥିବା ବେଳେ ଦୁଇଜଣ ଲୁଟେରା ବାଇକରେ ଆସି ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ସେ ଚିକତ୍ାର କରିବାରୁ ଲୋକେ ଦୌଡି ଆସି ଲୁଟେରାଙ୍କ ପିଛା କରିଥିଲେ। ହେଲେ ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲେ।