Categories: ଗଞ୍ଜାମ

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଘଟଣା: ଆମରଣ ଅନଶନ ପରେ ମିଳିଲା ନିଯୁକ୍ତି ପ୍ରତିଶ୍ରୁତି

ବ୍ରହ୍ମପୁର ଅଫିସ,୫ା୧-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ନେଇ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା-ସହାୟିକା ସଂଘ ପକ୍ଷରୁ ଦିଆଯାଇଥିବା ଧାରଣା ଶନିବାର ପ୍ରତ୍ୟାହୃତ ହୋଇଛି । ଗତ ୨ ତାରିଖରେ ଆନ୍ଦୋଳନରତ ଦୁଇ ପରିଚାରିକାଙ୍କ ମଧ୍ୟରୁ ଡିଇଓ ଜଣକୁ ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ। ଏହାପରେ ଅନ୍ୟ ଜଣେଙ୍କୁ ନିଯୁକ୍ତି ଦେବା ଦାବିରେ ପରିଚାରିକା ଜଣକ ଶୁକ୍ରବାରରୁ ଆମରଣ ଅନଶନ ଆରମ୍ଭ କରିଥିଲେ । ଅନଶନ ପରେ ଡିଇଓ ଉକ୍ତ ପରିଚାରିକାଙ୍କୁ ଅନ୍ୟ ଏକ ବିଦ୍ୟାଳୟରେ ନିଯୁକ୍ତି ନେଇ ପ୍ରତଶ୍ରୁତି ଦେବା ପରେ ପରିଚାରିକା ଜଣକ ଅନଶନରୁ ହଟିଥିଲେ ।
ସୂଚନାଯୋଗ୍ୟ, ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ପାଚିକା ଭାବେ କାର୍ଯ୍ୟକରି ଆସୁଥିବା କୁନି ସାହୁ ଓ ଗୀତା ନାୟକଙ୍କୁ କାର୍ଯ୍ୟରୁ ବହିଷ୍କାର ନେଇ ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦ କରି ଗତ ଡିସେମ୍ବର ୧୮ରୁ ଉଭୟ ପରିଚାରିକା ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା-ସହାୟିକା ସଂଘର ସମର୍ଥନରେ ଧାରଣା ଦେଇଥିଲେ । କାର୍ଯ୍ୟର ସୁ-ବ୍ୟବସ୍ଥା କରାଯିବାକୁ ସେମାନେ ଦାବି କରିଥିଲେ ା ଦୀର୍ଘ ୧୧ ଦିନର ଧାରଣା ପରେ ଜାନୁୟାରୀ ୨ ଅର୍ଥାତ ଗୁରୁବାର ଗୀତା ନାୟକଙ୍କୁ ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଇଓ ପୁନଃ ନିଯୁକ୍ତି ଦେଇଥିଲେ । କିନ୍ତୁ କୁନି ସାହୁଙ୍କ ପୁନଃ ନିଯୁକ୍ତି ମିଳିବା ଦିଗରେ ଡିଇଓ କୌଣସି ନିଷ୍ପତ୍ତି ଗ୍ରହଣ କରି ନ ଥିଲେ । ଏହାପରେ ଶୁକ୍ରବାର କୁନି ଡିଇଓଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ଶୁକ୍ରବାର ସାରା ରାତି ବର୍ଷାରେ ଭିଜି ବସିବା ପରେ ଶନିବାର ଡିଇଓ ସନାତନ ପଣ୍ଡା ଓ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ) ପ୍ରଭାତୀ ମହାପାତ୍ର କୁନିଙ୍କୁ ସୁବୁଦ୍ଧି ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ା ଏହାପରେ କୁନି ଅନଶନରୁ ଉଠିଥିଲେ ା ଏହି ସମୟରେ ପାଚିକା ସଂଘ ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତିଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ା