Categories: ଗଞ୍ଜାମ

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଘଟଣା : ଗୁହାରି ଶୁଣୁନାହାନ୍ତି ଡିଇଓ, ଧାରଣା ୩ ଦିନରେ

ବ୍ରହ୍ମପୁର ଅଫିସ,୨୧ା୧୨-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ନ୍ୟାୟ ଦାବିରେ ଉଭୟେ ଗିରିରୋଡସ୍ଥିତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ବୁଧବାରଠାରୁ ଧାରଣାରେ ବସିଛନ୍ତି। ଶୁକ୍ରବାର ଧାରଣା ତୃତୀୟ ଦିନରେ ପହଞ୍ଚିଥିଲେ ମଧ୍ୟ ପାଚିକା କୁନି ସାହୁ ଓ ଗୀତା ନାୟକଙ୍କ କାର୍ଯ୍ୟର ସୁବ୍ୟବସ୍ଥା କରିବା ଦିଗରେ ଡିଇଓ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କୁନି ଓ ଗୀତା ପାଚିକା ଭାବେ କାର୍ଯ୍ୟ କରିଆସୁଥିଲେ। ସେମାନେ କେବଳ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ସହ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସହଯୋଗ କରୁଥିଲେ ା ଏପରିକି ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକମାନେ ସେମାନଙ୍କ ଦ୍ୱାରା ବ୍ୟକ୍ତିଗତ କାମ କରାଉଥିଲେ। ଏହାର ପ୍ରତିବାଦ କରିବାରୁ ମିଥ୍ୟା ଆରୋପ ଲଗାଇ କୌଣସି ନୋଟିସ୍‌ ନ ଦେଇ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା କୁନି ଓ ଗୀତା ଅଭିଯୋଗ କରିଛନ୍ତି। ତେଣୁ ଉଭୟେ ନ୍ୟାୟ ପାଇଁ ଓଡିଶା ମିଳିତ ବିଦ୍ୟାଳୟ ପାଚିକା, ସହାୟିକା ସଂଘ ସମର୍ଥନରେ ଧାରଣା ଦେଇଛନ୍ତି। ୩ ଦିନ ହେଲା ଧାରଣା ଦିଆଯାଇଥିଲେ ମଧ୍ୟ ଡିଇଓଙ୍କ ପକ୍ଷରୁ ୨ ପାଚିକାଙ୍କ ଦାବି ପୂରଣ ଦିଗରେ କୌଣସ ପଦକ୍ଷେପ ନିଆଯାଇ ନ ଥିବା ଓଡିଶା ମିଳିତ ବିଦ୍ୟାଳୟ ପାଚିକା, ସହାୟିକା ସଂଘ ଜିଲା ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି କହିଛନ୍ତି ା
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ ସୂଚାଇଛନ୍ତି ା ଅନ୍ୟପକ୍ଷରେ ଏ ନେଇ ଡିଇଓ ଡ. ସନାତନ ପଣ୍ଡା କହିଛନ୍ତି, ଏ ଯାଏ କେହି ଅଭିଯୋଗ ପାଇଁ ଆସିନାହାନ୍ତି ା ବିଦ୍ୟାଳୟ ପରିଚାଳନା କମିଟି ପାଚିକା ନିଯୁକ୍ତି କରିଥାନ୍ତି। ତେଣୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଦ୍ୱାରା ଏହି ସମସ୍ୟା ସମାଧାନ ହୋଇପାରିବ ବୋଲି ଡିଇଓ କହିଛନ୍ତି ା