ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ଆଞ୍ଚଳି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପରିସ୍ଥିତିରେ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ତୋଫାନ ସମ୍ଭାବନା ରହିଛି। ବର୍ଷା, ବିଜୁଳି, ଘଡ଼ଘଡ଼ି ଏବଂ ପବନ ବହିବା ନେଇ ମଧ୍ୟ ସୂଚନା ଜାରି କରାଯାଇଛି। ବିଶେଷକରି ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାରେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ଜଗତ୍ସିଂହପୁର ଜିଲାକୁ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ପାଇଁ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୫ ସ୍ଥାନରେ ୩୭ ଡିଗ୍ରୀ ଟପିଥିଲା। ଟିଟିଲାଗଡ଼ରେ ୩୭.୫ ଡିଗ୍ରୀ ରହିଥିବାବେଳେ
କିରେଇ ୩୭.୨ ଡିଗ୍ରୀ, ପାରଳାଖେମୁଣ୍ଡି ୩୭.୨ ଡିଗ୍ରୀ, ଢେଙ୍କାନାଳ ୩୭.୧ ଡିଗ୍ରୀ, ଗୋପାଳପୁର ୩୭.୧ ଡିଗ୍ରୀ, ଅନୁଗୋଳ ୩୬.୯ ଡିଗ୍ରୀ, ହୀରାକୁଦ ୩୬.୮ ଡିଗ୍ରୀ, ସମ୍ବଲପୁର ୩୬.୬ ଡିଗ୍ରୀ, ଭବାନୀପାଟଣା ୩୬.୫ ଡିଗ୍ରୀ, ଭୁବନେଶ୍ୱର ୩୬.୪ ଡିଗ୍ରୀ ଓ ତାଳଚେରରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି ଜିଲାରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଶନିବାର ମଧ୍ୟ ଏହିସବୁ ଜିଲାରେ ଗରମ ଓ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏଥିସହ କେତେକ ଜିଲାକୁ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily

