Categories: ଗଞ୍ଜାମ

୨ ଗାଡ଼ି ସହ ଗଞ୍ଜେଇ ଜବତ, ୩ ଗିରଫ

ମୋହନା,୧୦ା୬( ଡି.ଏନ.ଏ.): ଗଜପତି ଜିଲା ମୋହନା ପୋଲିସ ରବିବାର ଭୋରରେ ଅଠରନଳା ନିକଟରେ ଚଢାଉ କରି ଏକ କମାଣ୍ଡର ଗାଡିରୁ ୧୪୦ କିଗ୍ରା ଗଞ୍ଜେଇ ଜବତ କରିଛି। ଏହାକୁ ଚାଲାଣ କରୁଥିବା ଅଭିଯୋଗରେ ମୋହନାର ଜଗନ୍ନାଥ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି। ସେହିପରି ଅଡବା ଥାନା ପୋଲିସ ଗୁଣ୍ଡିମା ଛକରେ ଚଢାଉ କରି ଏକ କାରରୁ ୪୮ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉତ୍ତରପ୍ରଦେଶ ଗୌତମ ନଗରର ସଞ୍ଜୟ କୁମାର ଓ ବିହାରର ଚନ୍ଦନ କୁମାର। ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ଅଧିକାରୀ ନାୟକଙ୍କ ତତ୍ୱାବଧାନରେ ପୋଲିସ ଅଠରନଳା ନିକଟରେ ଭୋରରେ ପାଟ୍ରୋଲିଂ ଚାଲିଥିଲା। କମାଣ୍ଡର (ନଂ. ଓଆର ୦୭ ୦୫୮୦) ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା। ଗାଡି ସହ ଉକ୍ତ ଗଞ୍ଜେଇ ଜବତ କରାଯାଇଛି। ସେହିପରି ଗୁଣ୍ଡିମା ଛକରେ ପାଟ୍ରୋଲିଂ କରୁଥିବା ଅଡବା ଥାନା ପୋଲିସ କାର (ନ.ୟୁପି ୧୬ ଏପି ୬୦୫୨)କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡିଥିଲା ।