୨୭ରେ ହେବ ଯୁକ୍ତ୨ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଆସନ୍ତା ୨୭ ତାରିଖରେ ଯୁକ୍ତ୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସେବା ଭବନଠାରେ ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ପରୀକ୍ଷା ପରିଚାଳନାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାକୁ କପିମୁକ୍ତ ଓ ସୁବ୍ୟବସ୍ଥିତ କରାଯିବା ଦିଗରେ ଆଲୋଚନା ହୋଇଥିଲା। ଏଥିପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ। ଯେଉଁଠି ସିସିଟିଭି ନ ଥିବ, ତାହାକୁ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ। ଗତବର୍ଷ ଯେଉଁଠାରେ ମାଲ୍‌ପ୍ରାକ୍ଟିସ୍‌ ହୋଇଥିଲା, ସେଠାରେ ଚଳିତ ଥର ପରୀକ୍ଷା ହେବନାହିଁ। ତେବେ ମୋଟ ୧ହଜାର ସେଣ୍ଟରରେ ସିସିଟିଭି ଲାଗିବ। ଏହାସହ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ଲାଗି ୩୦ ଜିଲାରେ ୩୦ ନୋଡାଲ ଅଫିସର ରହିବେ ବୋଲି ବୈଠକରୁ ଜଣାପଡ଼ିଛି।