Categories: ଜାତୀୟ

୨୬ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ କରିପାରିବନି ଇଡି

ନୂଆଦିଲ୍ଲୀ,୨୪।୮(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫରୁ ସୁରକ୍ଷା ଦେଇଛନ୍ତି। ୨୬ ତାରିଖରେ ମାମଲାର ଶୁଣାଣି ଥିବାରୁ ସେ ପର୍ଯ୍ୟନ୍ତ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଶୁକ୍ରବାର କହିଛନ୍ତି। ତେବେ ସେ ସିବିଆଇ ହେପାଜତରେ ରହିବେ। କାରଣ ତାଙ୍କୁ ଜେରା ପାଇଁ ସୋମବାର ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇ ଦିଆଯାଇଥିବାବେଳେ, ଏହା ଉପରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିନାହାନ୍ତି। ଉଭୟ ଇଡି ଓ ସିବିଆଇ ଦାଖଲ କରିଥିବା ମାମଲାର ଶୁଣାଣି ୨୬ରେ ହେବ ବୋଲି ଜଷ୍ଟିସ୍‌ ଆର୍‌. ଭାନୁମତୀ ଏବଂ ଏ.ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଆଇଏନ୍‌ଏକ୍ସ ମିଡିଆ ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ତାଙ୍କୁ ସିବିଆଇ ଓ ଇଡି ଗିରଫ କରିବାକୁ ଉଦ୍ୟମ କରିଥିଲେ ହେଁ ସେ ଫେରାର ହୋଇଯାଇଥିଲେ। ବୁଧବାର ରାତିରେ ସେ ଏଆଇସିସି କାର୍ଯ୍ୟାଳୟରେ ଆବିର୍ଭାବ ହୋଇ ଏକ ଖବରଦାତା ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ କହିବା ପରେ ସିବିଆଇ ଟିମ୍‌ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବା ପରେ ସିବିଆଇ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

Share