Categories: ଜାତୀୟ

୨୫ ହାଇକୋର୍ଟରେ ଗଡୁଛି ୪୩ ଲକ୍ଷ ମାମଲା: ୪୧୪ ବିଚାରପତି ପଦବୀ ଖାଲି

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି, ଯାହାକି ଅଦ୍ୟାବଧି ସର୍ବାଧିକ ବୋଲି ଆଇନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ସେପ୍ଟେମ୍ବର ୧ରେ ମିଳିଥିବା ତଥ୍ୟାନୁସାରେ ହାଇକୋର୍ଟଗୁଡ଼ିକରେ ୧,୦୭୯ ବିଚାରପତିଙ୍କୁ ନିଯୁକ୍ତି ଲାଗି ପାଇଁ ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୪୧୪ଟି ପଦବୀ ଖାଲିପଡ଼ିଛି। ଏହି ସଂଖ୍ୟା ଜୁଲାଇରେ ୪୦୩ ଥିବାବେଳେ ଅଗଷ୍ଟରେ ୪୦୯ ରହିଥିଲା। ସୁପ୍ରିମକୋର୍ଟର ୩ ଜଣିଆ କଲେଜିୟମ୍‌ ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିସ କରିଥାନ୍ତି। ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ସର୍ବୋଚ୍ଚ ଅଦାଲତର ୫ ବିଚାରପତି ବିଶିଷ୍ଟ କଲେଜିୟମ୍‌ ନାମ ସୁପାରିସ କରନ୍ତି। ହାଇକୋର୍ଟ କଲେଜିୟମ୍‌ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ଆଇନ ମନ୍ତ୍ରଣାଳୟକୁ ପଠାନ୍ତି। ମନ୍ତ୍ରଣାଳୟ ପ୍ରାର୍ଥୀଙ୍କ ପୃଷ୍ଠଭୂମି ନେଇ ଗୋଇନ୍ଦା ବ୍ୟୁରୋ ରିପୋର୍ଟ ଯାଞ୍ଚ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ ନିକଟକୁ ପଠାଇଥାଏ। ହାଇକୋର୍ଟ ବିଚାରପତିମାନଙ୍କ ଅବସର, ଇସ୍ତଫା ଓ ସୁପ୍ରିମକୋର୍ଟକୁ ପଦୋନ୍ନତି ଯୋଗୁ ଏଭଳି ଖାଲି ପଦବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ବିଭିନ୍ନ ରାଜ୍ୟର ୨୫ ହାଇକୋର୍ଟରେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଗଡ଼ୁଛି।

Share