Categories: ବାଣିଜ୍ୟ

୨୫ ହଜାର କୋଟି କ୍ଷତି ସହିବ ବିମାନ ଶିଳ୍ପ

ନୂଆଦିଲ୍ଲୀ,୮।୫: ଲକ୍‌ଡାଉନ ପାଇଁ ସାରା ବିଶ୍ୱରେ ବିମାନ ଶିଳ୍ପ ବଜାର ଏବେ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କରୋନା ଲକ୍‌ଡାଉନ ପାଇଁ ଭାରତ ବଜାର ୨୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ସୂଚନା ଦିଆଯାଇଛି। ସାରା ଦେଶରେ ୧୭ ମେ ଯାଏ ଲକ୍‌ଡାଉନ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିମାନ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ଏହି କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଲୋକଙ୍କ ନିଯୁକ୍ତି ଉପରେ ଏବେ ସଙ୍କଟ ରହିଛି। ବିମାନ ଚଳାଚାଳ କ୍ଷେତ୍ରକୁ ସରକାର ଶୀଘ୍ର ସହାୟତା ପ୍ରଦାନ କ୍ଷେତ୍ରରେ ଏଠାରେ କାର୍ଯ୍ୟରତ ଲୋକଙ୍କର ଛଟେଇ ଆରମ୍ଭ ହୋଇଯିବ ବୋଲି ଆଶଙ୍କା ପ୍ରକଟ କରାଯାଉଛି।
ଲକ୍‌ଡାଉନ ପରେ ମଧ୍ୟ ଏହି ଶିଳ୍ପ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଇଛି। କାରଣ କଟକଣା ଉଠିଗଲେ ମଧ୍ୟ ଲୋକମାନେ ଯାତ୍ରା ପାଇଁ ଏତେଟା ଆଗ୍ରହ ଦେଖାଇବେ ନାହିଁ। କରୋନା ମାମଲା ନିୟନ୍ତ୍ରଣ ହେଉ ନ ଥିବା ଯୋଗୁ ବଜାର ଏତେ ଶୀଘ୍ର ସୁଧୁରିଯିବ ବୋଲି ଆଶା କରିବା ଠିକ୍‌ ହେବ ନାହିଁ। ସେହିଭଳି ବିମାନ ଚଳାଚଳ ଶିଳ୍ପ ସହ ଜଡିତ ଅଂଶୀଦାରମାନେ ମଧ୍ୟ ଏହି ସମୟରେ ଗଭୀର କ୍ଷତି ସହିବେ। ଲକ୍‌ଡାଉନ ବଢିଲେ ଏହି କ୍ଷତି ପରିମାଣ ମଧ୍ୟ ବଢିଯିବ ବୋଲି କ୍ରିସିଲ ଏହାର ରିପୋର୍ଟରେ ପ୍ରକାଶ କରିଛି।

Share