Categories: ବାଣିଜ୍ୟ

୨୫ ମହାଧନୀଙ୍କ ନିକଟରେ ଜିଡିପିର ୧୦% ସମ୍ପତ୍ତି; ମୁକେଶ ଅମ୍ବାନୀ ତାଲିକାର ଶୀର୍ଷରେ

ନୂଆଦିଲ୍ଲୀ,୨୬।୯:  ଦେଶର ଶୀର୍ଷ ମହାଧନୀଙ୍କ ନିକଟରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୧୦ ପ୍ରତିଶତ ସମ୍ପତ୍ତି ରହିଛି ବୋଲି ଆଇଆଇଏଫ୍‌ଏଲ୍‌ ଓ୍ବେଲ୍‌ଥ ହୁରୁନ ଇଣ୍ଡିଆ ପକ୍ଷରୁ ଚଳିତବର୍ଷ ଲାଗି ପ୍ରକାଶିତ ମହାଧନୀ ତାଲିକାରୁ ସ୍ପଷ୍ଟ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ୮ମ ବର୍ଷ ଧରି ଭାରତୀୟ ମହାଧନୀଙ୍କ ତାଲିକାରେ ଶୀର୍ଷସ୍ଥାନ ବଜାୟ ରଖିଥିବା ଏହି ରିପୋର୍ଟରେ କୁହାଯାଇଛି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩,୮୦,୭୦୦ କୋଟି ଟଙ୍କା ବୋଲି ପ୍ରକାଶ ପାଇଛି।
ହୁରୁନ ଇଣ୍ଡିଆ ମହାଧନୀ ତାଲିକାର ଶୀର୍ଷ ୨୫ ଜଣରେ ମୁକେଶଙ୍କ ବ୍ୟତୀତ ଅନ୍ୟମାନେ ହେଲେ ଏସ୍‌.ପି. ହିନ୍ଦୁଜା ଓ ପରିବାର, ଅଜିମ ପ୍ରେମଜୀ, ଏଲ୍‌.ଏନ୍‌.ମିତ୍ତଲ ଓ ଗୌତମ ଆଦାନୀ ରହିଛନ୍ତି। ଆଇଆଇଏଫ୍‌ଏଲ୍‌ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟର ସହ ପ୍ରତିଷ୍ଠାତା ତଥା ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଯତୀନ ଶାହ୍‌ଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଧିକାଂଶ ଶିଳ୍ପପତିଙ୍କ ସମ୍ପତ୍ତି ଉତ୍ତରାଧିକାର ସୂତ୍ରରୁ ଆସିଛି। ତାଲିକାରେ ପ୍ରକାଶିତ ମହାଧନୀଙ୍କ ମଧ୍ୟରୁ ୫୩% ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ପାଇଛନ୍ତି। ସମ୍ପତ୍ତି ବିସ୍ତାର ଓ ଏହାର ସଂରକ୍ଷଣ ଲାଗି ଯଥାସାଧ୍ୟ ପ୍ରୟାସ କରୁଥିବା ଯୋଗୁ ଏହା ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ହୁରୁନ ରିପୋର୍ଟ ଇଣ୍ଡିଆର ଏମ୍‌ଡି ତଥା ମୁଖ୍ୟ ଗବେଷଣାକାରୀ କହିଛନ୍ତି ଯେ, ଭାରତ ସରକାର ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାର ଜିଡିପିରେ ପରିଣତ କରିବାର ଲକ୍ଷ୍ୟଧାର୍ଯ୍ୟ କରିଥିବାରୁ ଆସନ୍ତା ୫ ବର୍ଷ ଭିତରେ ମହାଧନୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ।
ଲଣ୍ଡନସ୍ଥିତ ଏସ୍‌.ପି.ହିନ୍ଦୁଜା ଏବଂ ତାଙ୍କ ପରିବାର ସମ୍ପତ୍ତି ପରିମାଣ ୧,୮୬,୫୦୦ କୋଟି ଟଙ୍କା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମ୍‌ଜୀ ଭାରତୀୟ ମହାଧନୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧,୧୭,୧୦୦ କୋଟି ଟଙ୍କା ବୋଲି ଜଣାପଡିଛି। ଚଳିତଥର ତାଲିକାରେ ୧ ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇ ୯୫୩ରେ ପହଞ୍ଚତ୍ଛି। ଗତବର୍ଷ ଏହା ୮୩୧ ଥିଲା। ତେବେ ଡଲାର ମୂଲ୍ୟକୁ ହିସାବକୁ ନେଲେ ମହାଧନୀଙ୍କ ସଂଖ୍ୟା ୧୪୧ରୁ ୧୩୮କୁ ହ୍ରାସ ପାଇଛି।

Share