Categories: ଜାତୀୟ

୨୫ ଗୋଚାଲାଣକାରୀଙ୍କୁ ଆକ୍ରମଣ

ଖଣ୍ଡଓ୍ବା,୯ା୭ (ପି.ଟି.): ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ୨୫ ଜଣ ଗୋଚାଲାଣକାରୀଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ମାଡ଼ମାରିବା ସହ ସେମାନଙ୍କୁ ଜୋରଜବରଦସ୍ତ ‘ଗୋ ମାତା କି ଜୟ’ କହିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ଚେତା ପଶିଛି। ପୋଲିସ କହିବାନୁଯାୟୀ, କେତେକ ଗୋରକ୍ଷକ ଗୋଚାଲାଣକାରୀଙ୍କୁ ଜୋର ଜବରଦସ୍ତ ବାନ୍ଧିଦେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ମହାରାଷ୍ଟ୍ରରୁ ଗୋଚାଲାଣ କରୁଥିବାବେଳେ ଗୋରକ୍ଷକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ତେବେ ଭାଇରାଲ ଭିଡ଼ିଓରେ ଗ୍ରାମବାସୀ ବାଡ଼ି ଧରି ଗୋଚାଲାଣକାରୀଙ୍କୁ ବାନ୍ଧି କାନଧରି ‘ଗୋ ମାତା କି ଜୟ’ କହିବାକୁ ବାଧ୍ୟ କରୁଥିବା ଦେଖାଯାଇଛି।
ଖଣ୍ଡଓ୍ବା ଏସ୍‌ପି ଶିବଦୟାଲ ସିଂ କହିଛନ୍ତି ଯେ, ଗୋଚାଲାଣ ଅଭିଯୋଗରେ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ଗୋଚାଲାଣକାରୀମାନେ ଏଭଳି କାର୍ଯ୍ୟ କରୁଥିବା ଏସ୍‌ପି କହିଛନ୍ତି। ଶତାଧିକ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ୨୧ ଟ୍ରକ ଜବତ ମଧ୍ୟ କରାଯାଇଛି। ଗୋରକ୍ଷା ନାମରେ ଦେଶରେ ହିଂସ୍ର ଆଚରଣ ବଢ଼ିଚାଲିଛି।

Share