୨୪ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

ଛତ୍ରପୁର,୨ା୩(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପକୁ ଦେଖି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୪ ସ୍ବାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ମିଳିବ ବୋଲି ଶନିବାର ଘୋଷଣା କରାଯାଇଛି। ଏ ନେଇ ଓଡିଶା ଏନ୍‌ଏଚଏମ୍‌ (ଜାତୀୟ ସ୍ବାସ୍ଥ୍ୟ ମିଶନ) ଡାଇରେକ୍ଟର ଶାଲିନୀ ପଣ୍ଡିତଙ୍କ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ଶନିବାର ଚିଠି ଆସିଛି ା
ଉପଖଣ୍ଡ ଚିକିତ୍ସାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ୨୫ ପ୍ରକାର ସ୍ବାସ୍ଥ୍ୟସେବାକୁ ଆଧାର କରି ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନ୍‌ ଅନୁଯାୟୀ ଜିଲାର ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ଅନୁଧ୍ୟାନ କରାଯାଇଥିଲା। ସ୍ବଚ୍ଛତା, ସଂକ୍ରମଣ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟସ୍ତରୀୟ କାୟାକଳ୍ପ ମନୋନୟନ କମିଟିଙ୍କ ନିଷ୍ପତ୍ତି ପ୍ରକାରେ୨୪ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସେଥିମଧ୍ୟରେ ଜିଲା ହେଡକ୍ୱାର୍ଟର ସିଟି ହସ୍‌ପିଟାଲ, ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ବ୍ରହ୍ମପୁରର ୭ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୧୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ା ବ୍ରହ୍ମପୁର ସିଟି ହସ୍‌ପିଟାଲ ୧୨ନଂ. ସ୍ଥାନରେ ରହି କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛି। ସେହିପରି ଛତ୍ରପୁର ହସ୍‌ପିିଟାଲ, ଭଞ୍ଜନଗର ହସ୍‌ପିଟାଲ, ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି। ସେହିପରି ଜିଲାର ଗୌଡଗୋଠ, ରାହାଡ଼ା, ପାଣ୍ଡିରିପଡା, ଭେଟନଈ, ମାଣିତରା, ମଣିକିୟାପୁର, ଗଞ୍ଜାମ, ସିଦ୍ଧେଶ୍ୱର, ସୋମା ଓ ଭଞ୍ଜବିହାରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ା ଅନ୍ୟପକ୍ଷରେ ରାଜ୍ୟସ୍ତରରେ ବ୍ରହ୍ମପୁର ସହରାଞ୍ଚଳର ୭ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛି। ସଫଳତା ପାଇଁ ଜିଲାପାଳ, ସିଡିଏମ୍‌ଓ, ସମସ୍ତ ବିଡିଓ, ତହସିଲଦାର, ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଓ ଷ୍ଟାଫ୍‌ମାନଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ ଶ୍ରେୟ ଦେଇଛନ୍ତି।