୨୪ ଦିନରେ ୨ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ: ଟୋକନ୍‌ ସମସ୍ୟାରେ ଚାଷୀ କଟ୍‌ନିଛଟ୍‌ନିକୁ ନେଇ ଅସନ୍ତୋଷ

ନୟାଗଡ଼ ଅଫିସ,୧୩ା୧: ନୟାଗଡ଼ ଜିଲାରେ ଗତମାସ ୧୮ ତାରିଖଠାରୁ ମଣ୍ଡିରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ (କ୍ରୟ) ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୪ ଦିନରେ ୫୬୫୭ ଚାଷୀଙ୍କଠାରୁ ୨ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪୦ ହଜାର ୮୦୪ ଚାଷୀଙ୍କଠାରୁ ୧୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଥିଲା। ଚାଷୀମାନେ ଟୋକନ୍‌ ପାଉ ନ ଥିବାରୁ ସେମାନଙ୍କ ଅମଳ ଧାନ ମଣ୍ଡିରେ ବିକ୍ରି କରିପାରୁ ନ ଥିବା ଜଣାପଡ଼ିଛି। କୁଇଣ୍ଟାଲ କୁଇଣ୍ଟାଲ ଧାନକୁ ସେମାନେ ଘରେ ସଂରକ୍ଷିତ କରି ରଖିଛନ୍ତି। ଏହାକୁ ସୁଯୋଗ ମନେକରି କିଛି ସ୍ଥାନରେ ବେପାରୀମାନେ କମ୍‌ ମୂଲ୍ୟରେ ଚାଷୀଙ୍କଠାରୁ ଧାନ କ୍ରୟ କରୁଛନ୍ତି। ସେହିଭଳି ଯେଉଁ ଚାଷୀମାନେ ମହାଜନଠାରୁ ଋଣ ଆଣି ଫସଲ କରିଥିଲେ ଟଙ୍କା ଦେବା ଲାଗି ବାଧ୍ୟ ହୋଇ ବେପାରୀଙ୍କୁ ବିକ୍ରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୬୫୭ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଥିବାବେଳେ ୪୧୭୩ ଜଣ ଚାଷୀଙ୍କୁ ଟଙ୍କା ପଇଠ କରାଯାଇଛି। ଅନ୍ୟମାନଙ୍କୁ କିଛିଦିନ ଭିତରେ ଆକାଉଣ୍ଟରେ ଟଙ୍କା ପ୍ରଦାନ କରାଯିବ। ଜିଲାର ୧୭ଟି ମିଲ ମଣ୍ଡିରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରୁଛି। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନ କିଣା ପାଇଁ ସମୟ ଥିବାରୁ ଏହା ଭିତରେ ଧାନ ସଂଗ୍ରହର ଲକ୍ଷ୍ୟ ପୂରଣ ହୋଇଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାର ୧୬୦ ମଣ୍ଡିରେ ଧାନ କ୍ରୟ ଚାଲୁ ରହିଛି। କିଛି ମଣ୍ଡିରେ କୁଇଣ୍ଟାଲ ପିଛା ୩ରୁ ୪ କିଲୋ ଧାନ କଟ୍‌ନିଛଟ୍‌ନି ହେଉଥିବାରୁ ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚଳିତବର୍ଷ ସାଧାରଣ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୧୮୧୫ ଟଙ୍କା ରହିଥିବାବେଳେ ସରୁ ଧାନ ୧୮୩୫ ଟଙ୍କା ରହିଛି। ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଜିଲାରେ ଧାନ ସଂଗ୍ରହ ଜାରି ରହିଛି। ଆଉ କିଛିଦିନ ମଧ୍ୟରେ ପଞ୍ଜୀକୃତ କରିଥିବା ଚାଷୀମାନଙ୍କୁ ଟୋକନ୍‌ ପ୍ରଦାନ କରାଯିବ। ଫଳରେ ଚାଷୀମାନେ ମଣ୍ଡିରେ ସେମାନଙ୍କ ଧାନ ବିକ୍ରି କରିପାରିବେ। କେଉଁଠାରେ ବି ଧାନର କଟ୍‌ନିଛଟ୍‌ନି ହେଉ ନ ଥିବା ସେ ପ୍ରକାଶ କରିଥିଲେ।