୨୪ ଘଣ୍ଟାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ):   ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ଏବଂ କେନ୍ଦୁଝର ଜିଲାର ଅଳ୍ପ କେତେକ ସ୍ଥାନରେ ଏବଂ ନୂଆପଡା, ବଲାଙ୍ଗୀର, ବରଗଡ, ସୋନପୁର, ଅନୁଗୋଳ, ଦେବଗଡ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ୧୬ ତାରିଖରେ ମଧ୍ୟ ୧୯ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ପରଠାରୁ ରାଜ୍ୟରେ ତାତିର ପ୍ରକୋପ ବଢିବ। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ତାତି ମଧ୍ୟ ବୃଦ୍ଧି ପାଇଲାଣି। ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୩୭, ବଲାଙ୍ଗୀର ୩୬, ମାଲକାନଗିରି ୩୫.୮, ଭୁବନେଶ୍ୱର ୩୫.୪, ଅନୁଗୋଳ ୩୫.୯ ଏବଂ ରାୟଗଡାରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।