୨୩ରେ ଭାଜପାର ବିରୋଧୀ ଦଳ ନେତା ଚୟନ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏହାର ଦିନକ ଆଗରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ବିରୋଧୀ କଂଗ୍ରେସ ଓ ଭାଜପା ନିଜ ଦଳୀୟ ବିଧାୟକଙ୍କୁ ନେଇ ବୈଠକ କରିବେ। ମୁଖ୍ୟତଃ ଭାଜପା ବୈଠକ ଉପରେ ସଭିଁଙ୍କ ନଜର ରହିବ। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେଡି ୧୧୨ ଆସନ ସହ ରାଜ୍ୟରେ ୫ମ ଥର ଲାଗି ସରକାର ଗଠନ କରିଛି। ଅପରପକ୍ଷରେ ଭାଜପା ରାଜ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନ ଗ୍ରହଣ କରିବାକୁ ଯାଉଛି। ନିର୍ବାଚନରେ ଭାଜପାର ୨୩ ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ମାତ୍ର ୯ଟି ଆସନ ପାଇଁ ୩ ନମ୍ବର ସ୍ଥାନକୁ ଖସିଯାଇଛି। ତେଣୁ ଭାଜପା ବିରୋଧୀ ଦଳ ଆସନ ଗ୍ରହଣ କରିବ। ଆସନ୍ତା ୨୩ ତାରିଖରେ ଭାଜପାର ବିଧାୟକ ଦଳ ବୈଠକ ବସିବା ସହ ବିରୋଧୀ ଦଳ ନେତା ଚୟନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଦଳ କାହାକୁ ଏହି ଆସନରେ ବସାଇବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ୧୦ ବିଧାୟକଙ୍କ ମଧ୍ୟରୁ କେହି ଜଣେ ହେଲେ ଏଥର ବିଧାନସଭା ଯାଉନାହାନ୍ତି। ଅନ୍ୟପଟେ ବିରୋଧୀ ଦଳ ଆସନକୁ ନେଇ ଦଳର ବହୁ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ବିଶେଷ ଚର୍ଚ୍ଚା ଲାଗି ରହିଛି। ଜୟନାରାୟଣ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ଦଳ ତାଙ୍କୁ ଏହି ପଦରେ ବସାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି କେନ୍ଦୁଝର ବିଧାୟକ ମୋହନ ମାଝି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଏବଂ ଭବାନିପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କ ନାମ ମଧ୍ୟ ବିରୋଧୀ ଦଳ ନେତା ଦୌଡରେ ଆଗରେ ରହିଛି। ଏହାଛଡା ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ପଦକୁ ନେଇ ବହୁ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରୁ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇଥିବା ଦୁଇ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ବୋଲି ଶୁଣିବାକୁ ମିଳିଛି।