୨୩ରୁ ପିପିଲିକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ଆସନ୍ତା ୨୩ ତାରିଖରୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏକ ନୁଆ ରୁଟ୍‌ (ରୁଟ୍‌ ନଂ-୩୩) ଆରମ୍ଭ କରିବାକୁ ଯାଉଛି। ଏହା ଭୁବନେଶ୍ୱର ରେଲୱେ ଷ୍ଟେସନ (ମାଷ୍ଟରକ୍ୟାଣ୍ଟିନ)ରୁ ପିପିଲିକୁ ସଂଯୋଗ କରିବ। ଏହି ରୁଟ୍‌ର ଦୂରତା ୨୪.୮ କି.ମି ରହିଥିବା କ୍ରୁଟ୍‌ର ମୁଖ୍ୟ ପ୍ରବନ୍ଧକ ଦିପ୍ତି ମହାପାତ୍ର ରବିବାର କହିଛନ୍ତି। ମୋ ବସ ପିପିଲିକୁ ଚଲାଇବା ପାଇଁ ବହୁ ଦିନରୁ ଅନେକ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଆସିଛନ୍ତି। ଏହି ଅନୁରୋଧକୁ ରକ୍ଷାକରିବାକୁ ଯାଇ ଓ ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ କ୍ରୁଟ୍‌ ପକ୍ଷରୁ ଏହି ରୁଟ୍‌ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଏହା କେବଳ ସ୍ଥାନୀୟ ବାସିନ୍ଦା ନୁହଁ ଏପରିକି ପର୍ଯ୍ୟଟକଙ୍କୁ ମଧ୍ୟ ପିପିଲି ପହଁଞ୍ଚିବା ପାଇଁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସର୍ବମୋଟ ୪ଟି ବସ ପ୍ରତ୍ୟେକଦିନ ୩୩ଟି ବସଷ୍ଟପ୍‌ ମଧ୍ୟରେ ଯାତ୍ରା କରିବ। ପ୍ରଥମ ବସ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ ଓ ଶେଷ ବସ୍‌ ସଂଧ୍ୟା ୫.୫୦ରେ ପିପିଲି ଅଭିମୁଖେ ଯାତ୍ରା କରିବ। ଠିକ୍‌ ସେହିପରି ପିପିଲିରୁ ପ୍ରଥମ ବସ୍‌ ସକାଳ ୭.୪୫ ଏବଂ ଶେଷ ବସ୍‌ ସନ୍ଧ୍ୟା ୭ଟାରେ ବାହାରିବ। ୨୩ ତାରିଖ ଅର୍ଥାତ ଆସନ୍ତା ବୁଧବାର ସେବାର ପ୍ରଥମ ଦିନରେ ମାତ୍ର ଗୋଟିଏ ବସ ଚାଲିବ ବୋଲି ଜଣାପଡ଼ିଛି।