୨୨ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ହେଲାଣି। ଆସନ୍ତା ୪/୫ ଦିନ ପରେ ମୌସୁମୀ ରାଜ୍ୟକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀକୁ ରାଜ୍ୟକୁ ଟାଣି ଆଣିବାକୁ ଉତ୍ତର ବଙ୍ଗୋପସାଗରରେ ମଧ୍ୟ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୨ ତାରିଖ ବେଳକୁ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏ ସବୁ ସଙ୍କେତ ମୌସୁମୀ ଆଗମନକୁ ସୂଚାଉଛି ବୋଲି ପାଣିପାଗ ବିଭାଗ କହୁଛି। ଆସନ୍ତା ୨୦ ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଛୁଇଁବା ସମ୍ଭାବନା ରହିଛି। ୨୩ ଓ ୨୪ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ କେରଳରେ ପ୍ରବଳ ବର୍ଷା ହେବ। ଏହାପରେ ମୌସୁମୀ ଧୀରେ ଧୀରେ ଆଗକୁ ବଢ଼ିବ। ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି। ନିର୍ଦ୍ଧାରିତ ସମୟ(ଜୁନ୍‌ ୧୦)ରେ ମୌସୁମୀ ଆସିପାରୁ ନ ଥିବାରୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେଲାଣି। ଚାଷୀମାନେ ବର୍ଷାକୁ ଅନାଇ ହତାଶ ହେଲେଣି।
ମୌସୁମୀ ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ କଟକରେ ୧୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୧.୧, ପୁରୀ ୦.୨, ଝାରସୁଗୁଡା ୨.୮, ସମ୍ବଲପୁର ୧.୦, ସୁନ୍ଦରଗଡ ୮.୦, ହୀରାକୁଦ ୩.୬, ଭବାନୀପାଟଣା ୧୯, ବଲାଙ୍ଗୀର ୩, କୋରାପୁଟ ୧୭, ଟିଟିଲାଗଡ ୧୮, ମାଲକାନଗିରି ୫ ଏବଂ ସୋନପୁରରେ ୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଏହି ସମୟରେ ଉପକୂଳ ଜିଲା ସମେତ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲାରେ ଘଡ଼ଘଡ଼ି ସହ ଝଡ଼ତୋଫାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ବର୍ଷା ଓ ମେଘୁଆ ପାଗ ହେଉଥିବାରୁ ରାଜ୍ୟରେ ଗତ କିଛିଦିନ ଧରି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ରାଜ୍ୟର ସମସ୍ତ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୮.୪, ପାରାଦୀପ ୩୭, ବାରିପଦା ୩୭.୮, ଝାରସୁଗୁଡା ୩୮.୪, ଏବଂ ତାଳଚେର ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share