Categories: ଜାତୀୟ

୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ଦୋଷୀ: ଖାରଜ ହେଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିଶ ଏନ୍‌ଭି ରାମଣ, ଅରୁଣ ମିଶ୍ର, ଆର୍‌ଏଫ୍‌ ନରିମନ, ଆର୍‌ ବନୁମଥି ଓ ଅଶୋକ ଭୂଷଣ ଏହାର ଶୁଣାଣି କରିଛନ୍ତି। ଆଇନ ଅନୁଯାୟୀ କ୍ୟୁରେଟିଭ ପିଟିସନ କ୍ଷମା ଆବେଦନର ଶେଷ ପର୍ଯ୍ୟାୟ ଥିବାରୁ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୭ ବର୍ଷର ଲଢେଇ ପରେ ଆଜିର ଦିନ ହେଉଛି ମୋ ପାଇଁ ବଡ଼ ଦିନ। କିନ୍ତୁ ଯେଉଁଦିନ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ସେଦିନ ମୋ ପାଇଁ ସବୁଠାରୁ ବଡ଼ ଦିନ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ରାଜଧାନୀ ଛାତିରେ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା।

Share