Categories: ଜାତୀୟ

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। ଏସବୁ ଆସନରୁ ଅଧିକ ଆସନରେ ବିଜୟ ହୋଇଥିବା ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ଦିଲ୍ଲୀରେ ୧୯୯୮ଠାରୁ ଏହି ଧାରା ଜାରି ରହିଛି। ୧୯୯୮ରେ ଭାଜପା ଏଠାକାର ୭ ଆସନରୁ ୬ରେ ବିଜୟ ଲାଭ କରିଥିଲା। ଏବଂ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଥିଲା। ପରେ ୧୯୯୯ର ୧୩ତମ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ସମସ୍ତ ଆସନରେ ବିଜୟ ହୋଇଥିଲା। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଗଠନ ହୋଇଥିଲା। ଏହାପରେ ୨୦୦୪ରେ କଂଗ୍ରେସ ଏଠାରେ ୬ ଆସନରେ ବିଜୟ ହୋଇଥିବାବେଳେ କେନ୍ଦ୍ରରେ ମନମୋହନ ସିଂଙ୍କ ସରକାର ଗଠନ ହୋଇଥିଲା। ୨୦୦୯ରେ କଂଗ୍ରେସ ଏଠାକାର ସମସ୍ତ ଆସନରେ ବିଜୟ ହୋଇଥିଲା। ଫଳରେ ୟୁପିଏ ସରକାରଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ ହୋଇଥିଲା। ତେବେ ୨୦୧୪ରେ ଭାଜପା ଏଠାରେ ସମସ୍ତ ଆସନରେ ବିଜୟ ହୋଇଥିଲା ଏବଂ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହୋଇଥିଲା। ତେବେ ଚଳିତ ୨୦୧୯ ଲୋକ ସଭା ନିର୍ବାଚନରେ ଏଠାରେ ମଇଦାନରେ ରହିଛନ୍ତି ୩୪୯ ପ୍ରାର୍ଥୀ। ମାତ୍ର ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାଜପା, କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୧୯୫୧ରେ ଦେଶର ପ୍ରଥମ ଲୋକ ସଭା ନିର୍ବାଚନ ସମୟରେ ଦିଲ୍ଲୀରେ ୪ଟି ଆସନ ଥିଲା। ପରେ ୧୯୬୭ରେ ଏହାକୁ ୭କୁ ବୃଦ୍ଧି କରାଯାଇଥିଲା। ସେହି ଆସନଗୁଡିକ ହେଉଛି ନୂଆଦିଲ୍ଲୀ, ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ଚାନ୍ଦିନୀ ଚୌକ, ପଶ୍ଚିମ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀ ।

Share