Categories: ଖେଳ

୨୧ ବର୍ଷରୁ ଟେବୁଲ ଟେନିସ: ମାନବ ବିଶ୍ୱର ୧ ନମ୍ବର

ନୂଆଦିଲ୍ଲୀ, ୩।୧(ପି.ଟି.): ସଦ୍ୟ ପ୍ରକାଶିତ ୨୧ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ ବର୍ଗ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଯୁବ ଖେଳାଳି ମାନବ ଠାକ୍କର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ୯ଟି ସ୍ଥାନ ଉପରକୁ ଉଠି ସେ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗତ ଡିସେମ୍ବରରେ କାନାଡ଼ାର ମାରଖାମରେ ଅନୁଷ୍ଠିତ ଆଇଟିଟିଏଫ୍‌ ଚ୍ୟାଲେଞ୍ଜ ପ୍ଲସ୍‌ ବେନେମାକ୍ସ- ଭିରଗୋ ନର୍ଥ ଆମେରିକା ଓପନରେ ୨୧ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରି ୧୯ ବର୍ଷୀୟ ମାନବ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିଛନ୍ତି। ଏହି ଟୁର୍ନାମେଣ୍ଟ ଫାଇନାଲରେ ସେ ଆର୍ଜେଣ୍ଟିନାର ମାର୍ଟିନ ବେଣ୍ଟାନକୋରଙ୍କୁ ୧୧-୩, ୧୧-୫, ୧୧-୬ ରେ ହରାଇ ଚାମ୍ପିୟନ ହୋଇଥିଲେ। ଚତୁର୍ଥ ଭାରତୀୟ ଭାବେ ମାନବ ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ତାଙ୍କ ପୂର୍ବରୁ ହରମିତ ଦେଶାଇ, ଜି. ସାଥିୟାଁ ଓ ସୌମ୍ୟଜିତ୍‌ ଘୋଷ ପୂର୍ବରୁ ଏହି ସଫଳତା ହାସଲ କରିଥିଲେ। ପୂର୍ବରୁ ମାନବ ୧୮ ବର୍ଷରୁ କମ୍‌ ବର୍ଗରେ ୨୦୧୮ ଫେବୃୟାରୀରେ ମଧ୍ୟ ବିଶ୍ୱର ୧ ନମ୍ବର ସ୍ଥାନ ହାସଲ କରିଥିଲେ। ୨୦୧୮ ଜାକାର୍ତ୍ତା ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ଟେବୁଲଟେନିସ ଦଳ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲା ଓ ମାନବ ଏହି ଦଳର ସଦସ୍ୟ ଥିଲେ।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ସାଥିୟାଁ ସିନିୟର ବର୍ଗରେ ୩୦ତମ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଚନ୍ତା ଶରଥ କମଲ ଗୋଟିଏ ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନରେ ରହିଛନ୍ତି। ସେହିପରି ଦେଶର ଶ୍ରେଷ୍ଠ ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ପୂର୍ବପତି ୬୧ତମ ସ୍ଥାନ ବଜାୟ ରଖିଛନ୍ତି।

Share