୨୦ ଜଣଙ୍କୁ ଗୁଳିକଲେ ସୈନ୍ୟ

ବ୍ୟାଙ୍କ୍‌କ,୯ା୨: ଥାଇଲାଣ୍ଡର ଜଣେ ସୈନ୍ୟ ଶନିବାର ମେଶିନ୍‌ ଗନ୍‌ରେ ନିରୀହ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି। ଉତ୍ତରପୂର୍ବ ଥାଇଲାଣ୍ଡର ନଖୋନ ରାଟଚାସିମାରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି। ଆକ୍ରମଣକାରୀ ଏକ ସପିଙ୍ଗ୍‌ ମଲ୍‌ ସମ୍ମୁଖରେ କାର୍‌ରୁ ବାହାରି ଗୁଳି କରୁଥିବା ଓ ଲୋକେ ଭୟରେ ଦୌଡୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।
ଆକ୍ରମଣକାରୀ ଜାକ୍ରଫନ୍ଥ ଥୋମ୍ମା ସୈନ୍ୟବାହିନୀର ଜଣେ ଜୁନିୟର ଅଫିସର। ସେ କମାଣ୍ଡିଂ ଅଫିସରଙ୍କୁ ଗୁଳି କରିବା ପରେ ସେନା କ୍ୟାମ୍ପରୁ ବନ୍ଧୁକ ଓ ଗୁଳି ଚୋରାଇ ଆଣିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପରେ ସେ ବୌଦ୍ଧମନ୍ଦିର ଓ ସପିଙ୍ଗ୍‌ ମଲ୍‌ ନିକଟରେ ଗୁଳି ଚଳାଇଥିଲେ। ଆକ୍ରମଣକାରୀ ଜଣକ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଆକ୍ରମଣ ସମ୍ପର୍କରେ ପୋଷ୍ଟ କରିବା ସହ ସେ ଆତ୍ମସମର୍ପଣ କରିବେ କି ନାହିଁ, ସେନେଇ ମତାମତ ଲୋଡ଼ିଛନ୍ତି। ଏହା ପୂର୍ବରୁ ସେ ଗୋଟିଏ ପିସ୍ତଲ ଓ ୩ ରାଉଣ୍ଡ ଗୁଳିର ଫଟୋ ପୋଷ୍ଟ କରିଥିଲେ। ଏହା ଭାବପ୍ରବଣ ହେବାର ସମୟ ବୋଲି ସେଥିରେ ଲେଖାଯାଇଥିଲା।

Share