Categories: ଜାତୀୟ

୨୦ ଅନୁପ୍ରବେଶ ପଥରେ ବହୁସ୍ତରୀୟ ସୁରକ୍ଷା: ଆତଙ୍କବାଦୀଙ୍କ ଗଳାବାଟ ବନ୍ଦ

ଜମ୍ମୁ,୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ଭାରତ-ପାକିସ୍ତାନ ସୀମା ଦେଇ ଆଉ ଆସିପାରିବେନି ସଶସ୍ତ୍ର ଆତଙ୍କବାଦୀ। ସେମାନଙ୍କ ଗଳାବାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦକରି ଦିଆଯାଇଛି। ସୁରକ୍ଷା ସଂସ୍ଥାଗୁଡ଼ିକ ଆତଙ୍କବାଦୀଙ୍କ ୨୦ଟି ଅନୁପ୍ରବେଶ ପଥକୁ ଚିହ୍ନଟ କରି ସେଠାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଗୋଇନ୍ଦା ସୂଚନାନୁସାରେ କଶ୍ମୀର ଉପତ୍ୟକା ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ର ଗୁଲମାର୍ଗ, ବଣ୍ଡିପୋରା ଓ ବାରାମୁଲାର ବୋନିୟାର ଦେଇ ୬୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଅନୁପ୍ରବେଶ କରିସାରିଛନ୍ତି। ସେହିପରି ପୀର ପଞ୍ଚଲ ରେଞ୍ଜ୍‌ର ଦକ୍ଷିଣ ଅଞ୍ଚଳ ଦେଇ ୨୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ଆତଙ୍କବାଦୀ କଶ୍ମୀରକୁ ଆସିଛନ୍ତି। ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା କଠୁଆ, ସାମ୍ବା, ଜମ୍ମୁ, ରାଜୌରି, ପୁଞ୍ଚ୍‌ ଆଦି ୨୦ଟି ପଥକୁ ଚିହ୍ନଟ କରାଯିବା ପରେ ବନ୍ଦ କରିଦିଆଯାଇଛି। ଅନୁପ୍ରବେଶ ନିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ସହ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ତର୍ଜାତୀୟ ସୀମା (ଆଇବି) ଏବଂ ଏଲ୍‌ଓସିରେ ସେନା ଏବଂ ବିଏସ୍‌ଏଫ୍‌ ବ୍ୟତୀତ ଗ୍ରାମ ପ୍ରତିରକ୍ଷା କମିଟିକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପୋଲିସକୁ ସକ୍ରିୟ କରାଯାଇଛି। ଅନେକ ସ୍ଥାନରେ ଚେକ୍‌ପଏଣ୍ଟ ଖୋଲାଯିବା ସହ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି। ସୀମାରେ ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଥାନା ଓ ପୋଲିସ ପୋଷ୍ଟଗୁଡ଼ିକୁ ସତର୍କ କରାଯାଇଛି। ପିଓକେର ଲଞ୍ଚ୍‌ପ୍ୟାଡ୍‌ରେ ଥିବା ଆତଙ୍କବାଦୀମାନେ ନଦୀ, ନାଳ, ଜଙ୍ଗଲ ଓ ଜନଶୂନ୍ୟ ଅଞ୍ଚଳ ଦେଇ ଅନୁପ୍ରବେଶ କରିବା ପାଇଁ ଅପେକ୍ଷରେ ଥିବାବେଳେ ସେମାନଙ୍କ ବାଟ ବନ୍ଦ କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share