ଓ୍ବାଶିଂଟନ,୯।୪: ବିଶ୍ୱ ସ୍ଥିତି ଏବେ ଅସମ୍ଭାଳ ହୋଇପଡ଼ିଛି। ୨୦୯ ଦେଶରେ କରୋନା ଭୂତାଣୁର ରାଜୁତି ଚାଲିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୫ ଲକ୍ଷ ୫୦ ହଜାର ଛୁଇଁଲାଣି। ଗୁରୁବାର ୩୨ ହଜାର ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଶ୍ୱରେ ମୃତ୍ୟୁସଂଖ୍ୟା ବଢ଼ି ୯୨,୦୦୪ରେ ପହଞ୍ଚିଛି। ଯଦିଓ ୩ ଲକ୍ଷ ୪୪ ହଜାର ଲୋକ ଆରୋଗ୍ୟ ଲାଭ କରିଲେଣି, ଦ୍ରୁତ ସଂକ୍ରମଣ ସ୍ଥିତି ୨୦୯ ଦେଶକୁ କଲବଲ କରିପକାଇଛି। ବିଶେଷକରି ବିଶ୍ୱର ସବୁଠାରୁ ବିତ୍ତଶାଳୀ ଦେଶ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ କରୋନା ଭୂତାଣୁରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମେରିକାରେ ୪ ଲକ୍ଷ ୪୦ ହଜାର ଆକ୍ରାନ୍ତ ଥିବାବେଳେ ୧୫,୭୯୮ ଜୀବନ ଗଲାଣି। ୟୁରୋପର ଇଟାଲୀ, ଜର୍ମାନୀ, ସ୍ପେନ୍‌, ବ୍ରିଟେନ, ଫ୍ରାନ୍ସ ଆଦି ଦେଶଗୁଡ଼ିକରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି। ଇଟାଲୀରେ ଭୂତାଣୁ ୧୭,୬୭୦ ଜୀବନ ନେଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧.୪୦ ଲକ୍ଷ ଛୁଇଁଲା l ସ୍ପେନ୍‌ରେ ୧୫,୨୪୦ ମୁଣ୍ଡ ଗଡ଼ିଥିବା ବେଳେ ୧.୫୨ ଲକ୍ଷରୁ ଅଧିକ ସଂକ୍ରମିତ ଅଛନ୍ତି। ଗୁରୁବାର ଏଠାରେ ୪୪୬ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧.୧୪ ଲକ୍ଷ ଟପିଥିବା ବେଳେ ୨,୩୪୯ ଜୀବନ ଗଲାଣି। ଫ୍ରାନ୍ସରେ ୧୦,୮୭୦ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଠାରେ ମୋଟ ୧,୧୩ ଲକ୍ଷ ରୋଗୀ ଥିବା ପ୍ରକାଶ। ବ୍ରିଟେନରେ ଭୂତାଣୁ ୭,୧୦୦ ମୁଣ୍ଡ ନେଲାଣି। ପ୍ରାୟ ୬୨ ହଜାର ଲୋକ ଏଠାରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

Share