୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ ପଞ୍ଚମାଂଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଖର୍ଚ୍ଚ ବଢୁଥିବା ଜଣା ପଡିଛି। ଏଭଳି ସମସ୍ୟା ଯୋଗୁ ୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ୨.୨୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ(ଏମ୍‌ଓଏସ୍‌ପିଆଇ)ର ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ୧୫୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ଖର୍ଚ୍ଚକୁ ଏମ୍‌ଓଏସ୍‌ପିଆଇ ମନିଟରିଂ କରିଥାଏ। ୨୦୧୮ ଡିସେମ୍ବର ସୁଦ୍ଧା ୨୦୫ ରେଳ ପ୍ରକଳ୍ପର ପ୍ରକୃତ ଖର୍ଚ୍ଚ ୧.୬୮ ଲକ୍ଷ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପଗୁଡିକରେ ଖର୍ଚ୍ଚ ୩.୮୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଇଛି। ଏହି ମୋଟ ଖର୍ଚ୍ଚ ଧାର୍ଯ୍ୟ ଖର୍ଚ୍ଚର ୧୩୧.୮୩% ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।
୨୦୧୮ ଡିସେମ୍ବରରେ ମନ୍ତ୍ରଣାଳୟ ୩୬୭ ରେଲଓ୍ବେ ପ୍ରକଳ୍ପର ମନିଟରିଂ କରିଛି। ଏହା ମଧ୍ୟରେ ୯୪ଟି ପ୍ରକଳ୍ପ ଅଧିକ ସମୟ ଲାଗିଥିବା ବେଳେ ପ୍ରକଳ୍ପଗୁଡିକ ଗୋଟିଏ ମାସରୁ ୩୨୪ ମାସ ପର୍ଯ୍ୟନ୍ତ ବିଳମ୍ବ ଘଟୁଥିବା ଜଣାପଡିଛି। ରେଲଓ୍ବେ ବାଦ୍‌ ଶକ୍ତି କ୍ଷେତ୍ରର ପ୍ରକଳ୍ପଗୁଡିକରେ ମଧ୍ୟ ଖର୍ଚ୍ଚ ବୃଦ୍ଧି ଘଟୁଥିବା ଜଣାପଡିଛି। ଶକ୍ତି କ୍ଷେତ୍ରର ମୋଟ ୯୫ ପ୍ରକଳ୍ପ ମଧ୍ୟରୁ ୪୦ଟି ପ୍ରକଳ୍ପରେ ଧାର୍ଯ୍ୟ ଅର୍ଥଠାରୁ ୬୩.୩୩ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ବଢିଥିବା ଆକଳନ କରାଯାଇଛି। ଏହି ୪୦ ପ୍ରକଳ୍ପର ପ୍ରକୃତ ବ୍ୟୟ ଖର୍ଚ୍ଚ ୧.୭୨ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ବର୍ଦ୍ଧିତ ବ୍ୟୟ ୨.୬୩ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ମୋଟ ୯୫ ଶକ୍ତି ପ୍ରକଳ୍ପ ମଧ୍ୟରୁ ୫୬ଟି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବା ଜଣାପଡିଛି।
ତୃତୀୟରେ ପରିବହନ ଏବଂ ରାଜପଥ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଥିବା ଜଣାପଡିଛି। ଏହାର ୬୦୫ ପ୍ରକଳ୍ପ ମନିଟରିଂ କରାଯାଇଥିବା ବେଳେ ୪୯ଟିରେ ଖର୍ଚ୍ଚ ବଢିଥିବା ଉଲ୍ଲେଖ ରହିଛି। ଏହି ପ୍ରକଳ୍ପଗୁଡିକ ଅଧିକ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ୪୯ ପ୍ରକଳ୍ପ ବାବଦକୁ ୨୯,୬୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିଲେ ମଧ୍ୟ ଏହା ୪୪, ୬୫୪ କୋଟି ଟଙ୍କା ରହିବ ବୋଲି ଆକଳନ ହୋଇଛି। ଏହି ପ୍ରକଳ୍ପର ମୋଟ ୧୧୨ ପ୍ରକଳ୍ପ ଶେଷ ହେବାକୁ ସମୟ ଲାଗୁଥିବା ଜଣାପଡିଛି।