‘୨୦୩୦ ସୁଦ୍ଧା ବାଲ୍ୟ ବିବାହ ପ୍ରଥା ବନ୍ଦ ପାଇଁ ଖସଡ଼ା’

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବାଲ୍ୟ ବିବାହ ପ୍ରଥାକୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଖସଡା ପ୍ରସ୍ତୁତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଥିପାଇଁ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍‌ଏଫ୍‌ଏଚ୍‌ଏସ୍‌-୪) ୨୦୧୪-୧୫ ଅନୁଯାୟୀ, ରାଜ୍ୟରେ ୨୧.୩% ବାଲ୍ୟ ବିବାହ ରହିଥିଲା। ଏହା ଜାତୀୟ ହାର ୨୬.୮% ଠାରୁ ସାମାନ୍ୟ କମ୍‌ ରହିଛି। ରାଜ୍ୟରେ ବିବାହିତ ଥିବା ୨୦-୨୫ ବର୍ଷ ବୟସ ମଧ୍ୟରେ ପ୍ରତି ୫ ଜଣରେ ଜଣେ ମହିଳା ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ସେହିପରି ୧୦ ଜଣରୁ ଜଣେ ପୁରୁଷ ୨୧ ବର୍ଷ ବୟସ ପୂର୍ବରୁ ବିବାହ କରୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା କୁହାଯାଇଛି।
ଉଲ୍ଲେଖଯୋଗ୍ୟ,ମାଲକାନଗିରି ଜିଲାରେ ସର୍ବାଧିକ ୩୯% ବାଲ୍ୟ ବିବାହ ପ୍ରଥା ଦେଖିବାକୁ ମିଳିଥାଏ। ଏହାପଛକୁ ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡା ରହିଛି। ସେହିପରି ନୟାଗଡ, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ ଏବଂ ଗଜପତି ଜିଲାରେ ଏକ ଚତୁର୍ଥାଂଶ ବାଳିକା ୧୮ ବର୍ଷ ବୟସ ପୂର୍ବରୁ ବାହା ହେଉଛନ୍ତି।