୨୦୨୫ ସୁଦ୍ଧା ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବ ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ଯୁଦ୍ଧ ହେଲେ ସୃଷ୍ଟି ହେବ ୧୬ରୁ ୩୬ ନିୟୁତ ଟନ୍‌ ଓଜନର କଳା ଧୂଆଁ

ଇସଲାମାବାଦ୍‌,୧୬।୧୧: ଆସନ୍ତା ୨୦୨୫ ସୁଦ୍ଧା ପାକିସ୍ତାନ ଏହାର ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବେଆଇନ ଭାବେ ପାକିସ୍ତାନ ଉଦ୍ୟମ ଜାରି ରଖିଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜର୍ମାନୀ ଏବେ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ଏନେଇ ପାକିସ୍ତାନ ଯୋଗାଯୋଗରେ ରହିଥିବା କୁହାଯାଉଛି। ସମ୍ପ୍ରତି ପାକିସ୍ତାନ ପାଖରେ ୧୩୦ରୁ ୧୪୦ ଆଣବିକ ଯୁଦ୍ଧାସ୍ତ୍ର ରହିଥିବା ଅନୁମାନ କରାଯାଉଛି। କିଛିଦିନ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମନ୍ତବ୍ୟ ଦେଇଥିଲେ। ଏହା ପାକିସ୍ତାନ ପାଖରେ ଥିବା ଆଣବିକ ଯୁଦ୍ଧାସ୍ତ୍ରକୁ ଇଙ୍ଗିତ କରିଥିବା ରଏଟର୍ସ ପକ୍ଷରୁ କୁହାଯାଇଛି। ସେହିପରି ଭାରତ ପାକିସ୍ତାନ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ୨୦୨୫ ସୁଦ୍ଧା ୪ ଶହରୁ ୫ ଶହ ଆଣବିକ ଯୁଦ୍ଧାସ୍ତ୍ରର ଉପଯୋଗ ପରସ୍ପର ବିରୋଧରେ କରାଯିବ ବୋଲି ସାଇନ୍ସ୍‌ ଆଡଭାନ୍ସଡ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହାଦ୍ୱାରା ଅଙ୍ଗାରକାମ୍ଳ କଣିକା ଥିବା ୧୬ରୁ ୩୬ ନିୟୁତ ଟନ୍‌ ଓଜନର କଳା ଧୂଆଁ ସୃଷ୍ଟି ହେବ। ଏହା ବାୟୁମଣ୍ଡଳର ଉପର ଭାଗରେ ବ୍ୟାପି ଯିବ। ପରେ ଏକ ସପ୍ତାହ ମଧ୍ୟରେ ପୃଥିବୀ ସାରା ଖେଳିଯିବ। ଏହାଦ୍ୱାରା ୨୦ରୁ ୩୫ ପ୍ରତିଶତ ସୂଯ୍ୟାଲୋକ ପୃଥିବୀରେ ପହଞ୍ଚିପାରିବ ନାହିଁ। ଫଳରେ ପୃଥିବୀର ତାପମାତ୍ରା ୨ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିଯିବ। ସେହିପରି ଏହାର ପ୍ରଭାବରେ ପୃଥିବୀରେ ହେଉଥିବା ବର୍ଷା ପରିମାଣ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share