Categories: ଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ହଟିବେ ଅନୁପ୍ରବେଶକାରୀ

କୈଠାଲ, ୧୦ା୧୦: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ରହୁଥିବା ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ହଟାଯିବ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ପ୍ରକାଶ କରିଛନ୍ତି। ହରିୟାଣାର ବୈଠାଲରେ ନିର୍ବାଚନ ରାଲିକୁ ଉଦ୍‌ବୋଧନ ଦେବାବେଳେ ସେ ଏହା କହିଛନ୍ତି। ଦେଶର ସୁରକ୍ଷା ସହ ସାଲିସ୍‌ କରାଯାଇ ପାରିବନି। ଏଥିଲାଗି ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଫ୍ରାନ୍ସରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ରାଫାଲ ଶସ୍ତ୍ରପୂଜାକୁ ନେଇ କଂଗ୍ରେସ ସମାଲୋଚନା କରିଥିବାବେଳେ ଶାହ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପରମ୍ପରା ଭୁଲିଯିବା ଅନୁଚିତ ବୋଲି ସେ କହିଛନ୍ତି। ବେଆଇନ ଅନୁପ୍ରବେଶକାରୀଙ୍କୁ ବିଦା ନ କଲେ ଜାତୀୟ ସୁରକ୍ଷା ବିପନ୍ନ ହେବ ବୋଲି ସେ କହିଛନ୍ତି। ୩୭୦, ୩୫ଏ, ଏନ୍‌ଆର୍‌ସି ଆଦିକୁ ବିରୋଧ କରିଆସୁଥିବା ଦଳ (କଂଗ୍ରେସ) ମୋଦି ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକୁ ସହିପାରୁନି । କଂଗ୍ରେସ ଜାତିବାଦର ଖେଳ ଖେଳିଚାଲିଛି। ଏମ୍‌. ଏଲ୍‌. ଖଟ୍ଟାର ସରକାର ଦୁର୍ନୀତିମୁକ୍ତ ସରକାର ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏଠାରେ ଭାଜପା ସରକାର ବହୁମତ ହାସଲ କରି ସରକାର ଗଢ଼ିବ ବୋଲି ଶାହ ଭୋଟରଙ୍କୁ କହିବା ସହ କଂଗ୍ରେସ ଚାଲ୍‌ରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି।

Share