୨୦୨୦ ଶେଷ ସୁଦ୍ଧା ଆର୍ଥିକ ସମସ୍ୟା ଯୋଗୁ ୮ କୋଟି ୬୦ ଲକ୍ଷ ଶିଶୁଙ୍କୁ ମିଳିବନି ଖାଦ୍ୟ

ଜେନେଭା,୨୮।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ଦେଖାଯିବ। ଫଳରେ ୮ କୋଟି ୬୦ ଲକ୍ଷ ଶିଶୁ ଆର୍ଥିକ ସମସ୍ୟା ଯୋଗୁ ସାଧାରଣ ସୁବିଧା ସୁଯୋଗ ସହିତ ଖାଇବାକୁ ମଧ୍ୟ ପାଇବେନି ବୋଲି ୟୁନିସେଫ୍‌ ଏବଂ ସେଭ୍‌ ଦି ଚିଲଡ୍ରେନ୍‌ ପକ୍ଷରୁ ମିଳିତ ଭାବେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଏକ ଚତୁର୍ଥାଶଂ ଶିଶୁ ଏହା ଦ୍ୱାରା ପ୍ରଭାବିତ ହେବେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୫ ପ୍ରତିଶତ ଅଧିକ ଶିଶୁ ଆର୍ଥିକ ସମସ୍ୟା ଯୋଗୁ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ଏହାଦ୍ୱାରା ପୃଥିବୀରେ ଆର୍ଥିକ ସମସ୍ୟା ଯୋଗୁ ଅସୁବିଧାରେ ପଡୁଥିବା ଶିଶୁଙ୍କ ସଂଖ୍ୟା ୬୭ କୋଟି ୨୦ ଲକ୍ଷ ଛୁଇଁବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବରୁ ବିଶ୍ୱବ୍ୟାଙ୍କ ପକ୍ଷରୁ କରୋନା ମହାମାରୀ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବ ବୋଲି ଆକଳନ କରାଯାଇଥିଲା। ଏନେଇ ବ୍ୟାଙ୍କର ସଭାପତି ଡେଭିଡ୍‌ ମାଲପୋସ୍‌ ସୂଚନା ଦେଇଥିଲେ ଯେ, କରୋନା ମହାମାରୀ ଯୋଗୁ ପୃଥିବୀର ୬ କୋଟିରୁ ଅଧିକ ଲୋକ ଗରିବ ହେବାର ଆଶଙ୍କା ରହିଛି। ଗତ ୩ ବର୍ଷ ମଧ୍ୟରେ ସେମାନେ କରିଥିବା ରୋଜଗାର କରୋନା ମହାମାରୀ ଯୋଗୁ ଶେଷ ହୋଇଯିବ ବୋଲି ସେ କହିଥିଲେ।

Share