୨୦୧୯ ଭୋଟ ଲାଗି ସର୍ବାଧିକ ଫୋର୍ସ: ୨.୭ ଲକ୍ଷ ଯବାନ, ୨୦ ଲକ୍ଷ ପୋଲିସ ମୁତୟନ

ନୂଆଦିଲ୍ଲୀ,୨୯ା୪(ପି.ଟି.): ଭାରତରେ ୭ ପର୍ଯ୍ୟାୟବିଶିଷ୍ଟ ଲୋକ ସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷକରିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଥିଲାଗି ଦେଶବ୍ୟାପୀ ମୋଟ ୨.୭ ଲକ୍ଷ ପାରାମିଲିଟାରୀ ଫୋର୍ସ, ୨୦ ଲକ୍ଷରୁ ଊର୍ଦ୍ଧ୍ୱ ରାଜ୍ୟ ପୋଲିସ ଓ ହୋମ୍‌ଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି। ୨୦୧୯ ନିର୍ବାଚନରେ ପୂର୍ବାପେକ୍ଷା ସର୍ବାଧିକ ଫୋର୍ସ ମୁତୟନ କରାଯାଇଥିବା କୁହାଯାଇଛି।
ନିର୍ବାଚନ କମିଶନଙ୍କ ସୁପାରିସ୍‌ରେ ୨,୭୧୦ କମ୍ପାନୀ ପାରାମିଲିଟାରୀ ଫୋର୍ସ ଲୋକ ସଭା ନିର୍ବାଚନ ଲାଗି ମୁତୟନ କରାଯାଇଛି ବୋଲି ଗୃହ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି। ଏଥିସହ ପ୍ରତ୍ୟେକ ରାଜ୍ୟର ପୋଲିସ ଫୋର୍ସ ଓ ହୋମ୍‌ଗାର୍ଡଙ୍କୁ ନେଇ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ମତଦାନ କେନ୍ଦ୍ର, ନିର୍ବାଚନ ଅଧିକାରୀଙ୍କ ପରିବହନ, ଇଭିଏମ ଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ଆଦି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗୋଟିଏ ପର୍ଯ୍ୟାୟ ଭୋଟ ଶେଷହେବା ପରେ ପାରାମିଲିଟାରୀ ଫୋର୍ସ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଅନ୍ୟ ରାଜ୍ୟକୁ ଯାଉଥିବା ଅଧିକାରୀ ପ୍ରକାଶ କରିଛନ୍ତି। ଏଥିଲାଗି ଟ୍ରକ, ରେଲଓ୍ବେ କୋଚ୍‌, ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ପ୍ରକାଶଥାଉକି, ଏପ୍ରିଲ ୧୧ ତାରିଖରୁ ଲୋକ ସଭା ନିର୍ବାଚନ ଆରମ୍ଭ ହୋଇଥିଲାବେଳେ ମେ ୧୯ ତାରିଖରେ ଏହି ପର୍ବ ଶେଷ ହେବ। ମେ ୨୩ ତାରିଖରେ ଭୋଟ ଗଣତି କରାଯିବ।

Share