୨୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କାମାକ୍ଷାନଗର, ୬।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ୨୦୦ରୁ ଊର୍ଦ୍ଧ୍ୱ ଛତିଶଗଡ଼ ଶ୍ରମିକଙ୍କ ସୋମବାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏଥିସହ ସେମାନଙ୍କୁ ସାବୁନ ବଣ୍ଟନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଲକ୍‌ଡାଉନ୍‌ ପରେ ସମ୍ପୃକ୍ତ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରି ଆଳତୁମା ହାଇସ୍କୁଲ ଏବଂ ପ୍ରାଥମିକ ବିଦ୍ୟାଳୟରେ ଥଇଥାନ କରାଯାଇଛି। ସେଠାରେ ସେମାନଙ୍କ ଖାଇବାପିଇବା ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ଯାଞ୍ଚ ବେଳେ ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ, ଉପଖଣ୍ଡ ମେଡିକାଲ ଅଧିକାରୀ ଡ. ରତ୍ନାକର ସାମଲ, ଡା. ସିଦ୍ଧାର୍ଥ ଶଙ୍କର ବେଉରା, ଫର୍ମାସିଷ୍ଟ ବିପିନ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।