Categories: ରାଜ୍ୟ

୨୦ରୁ ପୂର୍ତ୍ତ ବିଭାଗ ଆରମ୍ଭ କରିବ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ପଡ଼ିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୨୦ରୁ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ଶନିବାର ସଂପୃକ୍ତ ଯନ୍ତ୍ରୀମାନଙ୍କୁ ଚିଠି ଲେଖାଯାଇଛି। ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଆର.କେ. ଆଚାର୍ଯ୍ୟଙ୍କ ପକ୍ଷରୁ ୪ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଏହିମାନେ ହେଉଛନ୍ତି- ମୁଖ୍ୟଯନ୍ତ୍ରୀ(ଡିପିଆଇ ଆଣ୍ଡ ଆର୍‌), ମୁଖ୍ୟଯନ୍ତ୍ରୀ(ବିଲ୍ଡିଂ), ମୁଖ୍ୟଯନ୍ତ୍ରୀ(ବିଶ୍ୱ ବ୍ୟାଙ୍କ୍‌) ଏବଂ ମୁଖ୍ୟଯନ୍ତ୍ରୀ(ଏନ୍‌ଏଚ୍‌)। ଏଥିସହିତ ଭୁବନେଶ୍ୱରସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ସିଜିଏମ୍‌ଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ନିର୍ମାଣ କାର୍ଯ୍ୟ ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ଚିଠି ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏତ୍‌ଦବ୍ୟତୀତ ବିଭାଗ ପକ୍ଷରୁ ଅନ୍ୟ କେତେକ ନିୟମାବଳୀ ମଧ୍ୟ ଜାରି କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆବଶ୍ୟକ ଅନୁମତି ମିଳିବା ପରେ ପୂର୍ତ୍ତ ବିଭାଗ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।