୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍‌ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ କଟାଯିବାର ଏକ ଭିନ୍ନ ଘଟଣା ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରୁ ଆସିଛି। ୨ ବର୍ଷ ପୂର୍ବରୁ ବିକ୍ରି କରଯାଇଥିବା କାର୍‌ର ଚାଲାଣ ଜଣେ ମହିଳାଙ୍କ ଘରେ ପହଞ୍ଚିଛି। ଏନେଇ ମହିଳା ଜଣଙ୍କ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଉଲଫା-୧ ସେକ୍ଟରର ପ୍ରତିମା ୨୦୧୭ ଅକ୍ଟୋବର ୧୪ରେ ତାଙ୍କ କାର୍‌କୁ ବୁଲନ୍ଦସହରରେ ରହୁଥିବା ମହେନ୍ଦ୍ରଙ୍କୁ ବିକ୍ରି କରିଦେଇଥିଲେ। ମହେନ୍ଦ୍ର ଗାଡିକୁ ନିଜ ନାଁରେ କରାଇବା ପାଇଁ ସମସ୍ତ କାଗଜପତ୍ରରେ ହସ୍ତାକ୍ଷର କରିଥିଲେ। ହେଲେ ଏବେ ପର୍ଯ୍ୟନ୍ତ ନିଜ ନଁାରେ କରାଇନାହାନ୍ତି ବୋଲି ପ୍ରତିମା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନାଁ ଟ୍ରାନ୍ସଫର ହୋଇ ନ ଥିବାରୁ କାର୍‌ର ସମସ୍ତ ଚାଲାଣ ତାଙ୍କ ନଁାରେ କଟାଯାଉଛି। ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତଦନ୍ତ ସମୟରେ ଏନେଇ ମହେନ୍ଦ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି, ପାଖାପାଖି ଏକ ବର୍ଷ ହେବ ସେ କାର୍‌କୁ ଆଉ ଜଣଙ୍କୁ ବିକ୍ରି କରିଦେଇଛନ୍ତି। ତେବେ ତୃତୀୟ ବ୍ୟକ୍ତି କିସ୍ତି ପରିଶୋଧ କରି ନ ଥିବାରୁ ଗାଡିର କାଗଜପତ୍ର ଟ୍ରାନ୍ସଫର କରାଯାଇପାରିନାହିଁ। ଆଉ ରହିଲା ଚାଲାଣ କଥା ସେ ସବୁ ଜମା କରିଦେଇଛନ୍ତି ବୋଲି ମହେନ୍ଦ୍ର କହିଛନ୍ତି।

Share