୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲାରେ ମୋଟ୍‌ ୧ ଲକ୍ଷ ୨ ହଜାର ୬୫୦ ଜଣ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ବୁନ୍ଦା ଦିଆଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି।
ପୂର୍ବାହ୍ନ ୮ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ମନୋଜ କୁମାର ମହାନ୍ତି ପଲସ ପୋଲିଓ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ଏଡିପିଏଚ୍‌ଓ (ଏଫ୍‌ଡବ୍ଲ୍ୟୁ) ଡାକ୍ତର ଲାଉଚନ୍ଦ୍ର ତନ୍ତୀ, ଏନ୍‌ଏଚ୍‌ଏମ୍‌ର ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଜିଲାରେ ଥିବା ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୫ ହଜାର ୧୮୯ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। ସେହିପରି ଦୁଇଟି ପ୍ରସବତ୍ତର କେନ୍ଦ୍ର (ପିପିସି)ରେ ୭ ହଜାର ୪୬୧ ଜଣଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିଲା। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ ହଜାର ୧୭୭ ଜଣଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଥିବା ବେଳେ ବଅଁରପାଳରେ ୧୫ ହଜାର ୩୪୧ ଶିଶୁ, କୋଶଳାରେ ୧୨ ହଜାର ୮୧, କଣିହଁାରେ ୧୩ ହଜାର ୭୫୫, ଗୋଡ଼ିବନ୍ଧରେ ୧୦ ହଜାର ୪୩୭, ଖମାରରେ ୧୨ ହଜାର ୭୯, ମାଧପୁରରେ ୧୦ ହଜାର ୩୬୮, ଆର୍‌.କେ. ନଗରରେ ୭ ହଜାର ୯୫୧ ଜଣଙ୍କୁ ପୋଲିଓ ପ୍ରତିଷେଧକ ପ୍ରଦାନ କରାଯାଇଥିଲା। ସେହିପରି ଅନୁଗୋଳ ପିପିସିରେ ୩ ହଜାର ୭୪୨ ଓ ତାଳଚେର ପିପିସିରେ ୩ ହଜାର ୭୧୯ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।