Categories: ଅପରାଧ

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

କୋରେଇ,୯ା୭(ସ୍ବ.ପ୍ର)- ପାଣିକୋଇଲି ପୋଲିସ ୧ କୁଇଣ୍ଟାଲ ୭ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମଙ୍ଗଳବାର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା କାର୍‌ (ନଂ. ଡବ୍ଲ୍ୟୁବି୦୬-ଏଫ-୯୯୯୧), ୩ ମୋବାଇଲ, ନଗଦ ୭ ହଜାର ୪୪୦ଟଙ୍କା, ୩ ଏଟିଏମ କାର୍ଡ, ୨ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି। ଅଭିଯୁକ୍ତମାନେ ହେଲେ ମର୍ଶିଦାବାଦ ଜିଲା ଲାଲଗୋଲା ଥାନା ଅନ୍ତର୍ଗତ ଦିଆର ଫତେପୁର ଗ୍ରାମର ସୋହେଲ ରାନା (୨୭) ଓ କାଣ୍ଡି ଥାନା ଅନ୍ତର୍ଗତ ଯୋଶରାଇ ଗ୍ରାମର ସେକ ସେକ ସାହାରୁଲ (୨୭)। ଏ ନେଇ ପୋଲିସ ଏକ ମାମଲା (୧୨୩/୧୯) ରୁଜୁ କରିଛି। ପାଣିକୋଇଲି ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ପି ଚରଣ ସିଂ ମୀନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏସ୍‌ଡିପିଓ କେଦାରନାଥ ସାହୁ ଓ ଥାନାଧିକାରୀ ଅଜୟ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, କଟକ ଆଡ଼ୁ କୋଲକାତା ଅଭିମୁଖେ ଗଞ୍ଜେଇ ଆସୁଥିବା କ୍ରାଇମ ବ୍ରାଞ୍ଚ ସୂତ୍ରରୁ ଖବରପାଇ ଡିଏସପି ରବୀନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ପୋଲିସ ପାଣିକୋଇଲି ଟୋଲ ପ୍ଲାଜାଠାରେ ସୋମବାର ରାତିରେ ନାକାବନ୍ଦୀ କରିଥିଲା। ଉକ୍ତ ରାସ୍ତା ଦେଇ କାର୍‌ ଯିବାବେଳେ ପୋଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖି ୨ ଜଣଙ୍କୁ ଗିରଫ କରିଥିଲା। ସେମାନେ ମାଳକାନାଗିରିରୁ ଗଞ୍ଜେଇ ଆଣି ପଶ୍ଚିମବଙ୍ଗର ମୁର୍ଶିଦାବାଦ ନେଉଥିବା ସ୍ବୀକାର କରିଥିଲେ।