Categories: ଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲ

ବ୍ଲୋଏମଫେଣ୍ଟେନ,୨୫।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ଓ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ଶୁକ୍ରବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ୪୪ ରନରେ ବିଜୟୀ ହେବା ପରେ ଏହା ନିଶ୍ଚିତ ହୋଇଛି। ଗ୍ରୁପ୍‌ ଏ’ର ଅନ୍ତିମ ଲିଗ୍‌ ମ୍ୟାଚ୍‌କୁ ବର୍ଷା କାରଣରୁ ୨୩ ଓଭରରେ ସୀମତ ରଖାଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୨୩ ଓଭରରେ କୌଣସି ଉଇକେଟ ନ ହରାଇ ୧୧୫ ରନ ସଂଗ୍ରହ କରିଥିଲା। ଦୁଇ ଓପନର ଯଶସ୍ବୀ ଜୟସୁଆଲ ୫୭ ଓ ଦିବ୍ୟାଂଶ ସାକସେନା ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ତେବେ ଡିଏଲ୍‌ ନିୟମରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩ ଓଭରରେ ୧୯୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଇଥିଲେ। ତେବେ ଦଳ ୨୧ ଓଭରରେ ୧୪୭ ରନକରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା। ବିଜୟ ସହ ୬ ପଏଣ୍ଟ ହାସଲ କରି ଭାରତ ଗ୍ରୁପ୍‌ ଏ’ ଶୀର୍ଷରେ ରହିଛି।
ନ୍ୟୁଜିଲାଣ୍ଡ ତରଫରୁ ରିସ ମାରିୟୁ ସର୍ବାଧିକ ୪୨, ଫେର୍ଗୁସ ଲେଲମ୍ୟାନ ୩୧ ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ବାମହାତୀ ସ୍ପିନର ରବି ବିଷ୍ନୋଇ ୪, ଅର୍ଥବ ଆଙ୍କୋଲେକର ୩ ଟି ଉଇକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଷ୍ନୋଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ୨୮ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ସୁପର ଲିଗ୍‌ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବେ।

Share