Categories: ଜାତୀୟ

୧୯୪୭ ସ୍ମୃତି ଉଜ୍ଜୀବିତ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନର ବାଟ ଫିଟାଇଛି ଗଣତନ୍ତ୍ରର ମନ୍ଦିର ପାର୍ଲାମେଣ୍ଟ। ଏହାକୁ ନେଇ ଦଙ୍ଗା ଘଟି ବ୍ୟାପକ ଜଳାପୋଡ଼ା, ଭଙ୍ଗାରୁଜା ଘଟିବାର ଆଶଙ୍କା ଥିବାରୁ ହଜାର ହଜାର ସୁରକ୍ଷା ଯବାନଙ୍କୁ ମୁତୟନ କରାଯାଇଛି ଉପତ୍ୟକାରେ। ୫ ତାରିଖରୁ ସବୁଠି ଲାଗିରହିଛି ଅଘୋଷିତ କର୍ଫ୍ୟୁ। ଅନ୍ୟାଦେଶ ପର୍ଯ୍ୟନ୍ତ ସିଆର୍‌ପିସି ଧାରା ୧୪୪ ଜାରି କରିଛି ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ନେତୃତ୍ୱାଧୀନ ଜମ୍ମୁ-କଶ୍ମୀର ପ୍ରଶାସନ। ରାସ୍ତାଘାଟ ଶୂନଶାନ, ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବାତିଲ, ଶିକ୍ଷାନୁଷ୍ଠାନ ବନ୍ଦ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଝୁଲୁଛି ତାଲା। ଉପତ୍ୟକାବାସୀଙ୍କ ପଥ ଅବରୋଧ କରିଛି ସେନାର ବ୍ୟାରିକେଡ୍‌। ଏହି ଦୃଶ୍ୟ ୧୯୪୭ ସ୍ବାଧୀନତା ପର ବିଭାଜନର ସ୍ମୃତି ଉଜ୍ଜୀବିତ କରିଛି ଅନେକ ବୟୋବୃଦ୍ଧଙ୍କ ମନରେ। ଅଚଳାବସ୍ଥା କେବେ ଦୂରହେବ ଓ ସ୍ବାଭାବିକ ସ୍ଥିତି ଫେରିଆସିବ ତାକୁ ଅପେକ୍ଷାରତ ଜମ୍ମୁ-କଶ୍ମୀରର ଜନତା।

Share