୧୮ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା

ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ଜର୍ଦ୍ଦା କାରଖାନା କର୍ମଚାରୀ ସନ୍ତୋଷ ରାଜ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଥିଲେ। ତେବେ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। କେହି ସନ୍ତୋଷଙ୍କଠାରୁ ଟଙ୍କା ଲୁଟି ନ ଥିଲେ ବରଂ ସେ ନିଜେ ଲୁଟେରା ବୋଲି ପୋଲିସ କହିଛି। ସନ୍ତୋଷଙ୍କ ଘରକୁ ଯାଇ ପୋଲିସ ଖଟ ତଳୁ ୧୮ ଲକ୍ଷ ଟଙ୍କା ଜବତ କରିବା ସହ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛି। ଏ ନେଇ ଥାନାରେ କେସ୍‌ ନଂ. ୧୩୮/୧୯ ରୁଜୁ କରିଛି।
ପ୍ରକାଶ ଯେ, ସନ୍ତୋଷ ୧୮ ଲକ୍ଷ ଟଙ୍କାନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିଲେ। ରାଧାକିଶୋରପୁର ଓଭରବ୍ରିଜ୍‌ ନିକଟରେ ୨ଟି ବାଇକ୍‌ରେ ୪ ଲୁଟେରା ଆସି ତାଙ୍କୁ ଅଟକାଇଥିଲେ। ଧମକଚମକ ଦେଇ ଟଙ୍କା ବ୍ୟାଗ୍‌ ଛଡାଇ ନେଇଯାଇଥିବା ନେଇ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ।