୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି ନେତା, ଅଫିସର

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ବିଜେଡିର ବହୁ ନେତା ବିଗତ ଦିନରେ ସରକାରୀ ଅର୍ଥରେ ହେଲିକପ୍ଟର ବ୍ୟବହାର କରୁଥିବା ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଥିଲା। ଏନେଇ ବିଧାୟକ ତାରା ପ୍ରସାଦ ବାହିନୀପତି ମଙ୍ଗଳବାର ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦର୍ଶାଇଛନ୍ତି, ୨୦୧୪ ପରଠାରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ସଚିବମାନେ ହେଲିକପ୍ଟର ଯୋଗେ ବହୁଥର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି। ଏହି ସମସ୍ତ ଗସ୍ତ ସମ୍ପୂର୍ଣ୍ଣ ସରକାରୀ ଏବଂ ରାଜ୍ୟର ସ୍ବାର୍ଥ ସମ୍ବନ୍ଧିତ ବୋଲି ସେ କହିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ବହୁ ମନ୍ତ୍ରୀ ଏବଂ ଅଫିସର୍‌ ହେଲିକପ୍ଟର ବ୍ୟବହାର କରି ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି। ଏଥିପାଇଁ ସେମାନେ ମୋଟ ୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି। ଏଥି ମଧ୍ୟରୁ ଅଧିକାଂଶ ସରକାରୀ ଅଧିକାରୀ ଏକାଧିକବାର ବ୍ୟବହାର କରିଥିବା ଦର୍ଶାଯାଇଛି। ଅନ୍ୟପଟେ ଏନେଇ ସରକାରଙ୍କ ପକ୍ଷରୁ କେତେ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ମନ୍ତ୍ରୀ ଉଲ୍ଲେଖ କରିନାହାନ୍ତି। ଅନ୍ୟପଟେ ମନ୍ତ୍ରୀଙ୍କ ଏହି ଉତ୍ତର ଦେଖିବା ପରେ ବିରୋଧୀ ଦଳର କେତେଜଣ ସଦସ୍ୟ କଡା ସମାଲୋଚନା କରିଛନ୍ତି।