କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍ ‘ବି’ର ଏକ ମ୍ୟାଚ୍ରେ ଭାରତ ୧୭-୧ ଗୋଲ୍ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା ମ୍ୟାଚରେ ଦୀପିକା ଶେରାଓ୍ବତ, ଋତୁଜା ଦାଦାସୋ ପିସାଲ ଓ ନବନୀତ କୌର ପ୍ରମୁଖ ପ୍ରତ୍ୟେକ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ।
ଉଜବେକିସ୍ତାନ ବିପକ୍ଷରେ ଭାରତର ୧୯-୦ ଗୋଲ୍ ବିଜୟ ମ୍ୟାଚରେ ୮ଟି ଗୋଲ୍ ସ୍କୋର କରିଥିବା ୨୨ ବର୍ଷୀୟା ଦୀପିକା ୮ମ, ୨୮ତମ ଓ ୪୦ତମ ମିନିଟ୍ରେ ତାଙ୍କ ଗୋଲ୍ ଗୁଡ଼ିକୁ ସ୍କୋର କରିଥିଲେ। ଏହି ସମସ୍ତ ଗୋଲ୍ ପେନାଲ୍ଟି କର୍ନର ଜରିଆରେ ସ୍କୋର କରିଥିଲେ। ଋତୁଜା ତାଙ୍କର ତିନୋଟିଯାକ ଫିଲ୍ଡ ଗୋଲ୍ ୧୫ତମ, ୨୦ତମ ଓ ୩୮ତମ ମିନିଟ୍ରେ ସ୍କୋର କରିଥିଲେ। ନବନୀତ ୩୫ତମ, ୫୬ତମ ଓ ୫୭ତମ ମିନିଟ୍ରେ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ।
ଏହାଛଡ଼ା ସୁନେଲିତା ଟପ୍ପୋ (୧୧ଶ, ୩୦ତମ), ଲାଲ ରେମସିଆମି (୧୨ତମ, ୧୬ତମ) ଓ ସାକ୍ଷୀ ରାଣା (୨୫ତମ ଓ ୫୭ତମ) ଦୁଇଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ଅଧିନାୟିକା ସାଲିମା ଟେଟେ (୩୫ତମ), ଇସିକା ଚୌଧାରୀ (୩୬ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଇଣ୍ଡୋନେସିଆ ତରଫରୁ ଏକମାତ୍ର ଗୋଲ୍ ଇନେସ ଆଦିତ୍ୟ ଖେଳର ୩୨ତମ ମିନିଟରେ ସ୍କୋର କରିଥିଲେ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବୁଧବାର ଥାଇଲାଣ୍ଡ ବିପକ୍ଷରେ ଖେଳିବ।