୧୭ ଫାଇଲ୍‌ ଗାଏବ ଚର୍ଚ୍ଚା: ଭିଜିଲାନ୍ସ ତଦନ୍ତ ଦାବି

ଗୋପ, ୨୦ା୭(ଡି.ଏନ୍‌.ଏ.): ଗୋପ ବ୍ଲକରେ ଫନୀ ସହାୟତା ରାଶି ବଣ୍ଟନରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ଆସିଛି। ସହାୟତା ରାଶି ବଣ୍ଟନରେ ଅନ୍ତର୍ଭୁକ୍ତ ୧୭ ଗୋଟି ଫାଇଲ୍‌ ଗାଏବ ହେବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଭିଜିଲାନ୍ସ ତଦନ୍ତ କରାଗଲେ ଆହୁରି ଅଧିକ ଦୁର୍ନିତୀ ଘଟଣା ପଦାକୁ ଆସିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଏହି ସହାୟତା ରାଶି ଫାଇଲ୍‌ଗୁଡ଼ିକ ଏବେ କେଉଁଠି ଓ କାହା ପାଖରେ ରହିଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି। ଏହି ୧୭ ଫାଇଲ୍‌ରେ ଥିବା ହିତାଧିକାରୀମାନେ ଭୂତ ବୋଲି ଚର୍ଚ୍ଚା ହେଉଛି।
ଫନୀ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୋପ ବ୍ଲକ୍‌ର ୩୬ ହଜାର ୩୨୩ ଜଣ ରାସନକାର୍ଡ଼ ହିତାଧିକାରୀଙ୍କୁ ପ୍ରଥମେ ୨ ହଜାର ଟଙ୍କା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧ ହଜାର ଟଙ୍କା ସହିତ ୫୦ କିଲୋ ଚାଉଳ ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାସନ କାର୍ଡ଼ ନ ଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ୩ ହଜାର ଟଙ୍କା ସମେତ ୫୦ କିଲୋ ଚାଉଳ ପ୍ରଦାନ କରାଯାଇଥିଲା। ଗୋପ ବ୍ଲକ୍‌ ଅଧୀନରେ ଥିବା ୩୧ ପଞ୍ଚାୟତରେ ଏହି ସହାୟତା ରାଶି ପ୍ରଦାନ କରାଯିବା ପରେ ବ୍ଲକ୍‌ ପକ୍ଷରୁ ୩ ଜଣିଆ କମିଟି ମାଧ୍ୟମରେ ଏହି ଟଙ୍କା ବଣ୍ଟନ କରାଯାଇଥିଲା। ପରେ କର୍ମଚାରୀମାନେ ନେଇଥିବା ଅର୍ଥ ଓ ବଣ୍ଟନ ସମ୍ପର୍କିତ ଫାଇଲ୍‌ ବ୍ଲକରେ ଦାଖଲ କରିଥିଲେ। ମାତ୍ର ବଣ୍ଟନ ହେବାର ଦୁଇ ମାସ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବୀରତୁଙ୍ଗ ପଞ୍ଚାୟତର ଚାରିଗୋଟି ଫାଇଲ୍‌, ଧୂମାଳ ପଞ୍ଚାୟତର ତିନିଗୋଟି, ବଣିଆସାହି ପଞ୍ଚାୟତର ୨ ଗୋଟି, ବେଦପୁର ପଞ୍ଚାୟତର ଗୋଟିଏ, ପୟରା ପଞ୍ଚାୟତର ୨ଟି, ନୂଆ ଖୋଲମରା ପଞ୍ଚାୟତର ୨ଟି, ବନାଖଣ୍ଡି ପଞ୍ଚାୟତର ୨ଟି ଓ ରାହାଙ୍ଗଗୋରଡ଼ା ପଞ୍ଚାୟତର ଗୋଟିଏ ଫାଇଲ୍‌ ଏବେ ବ୍ଲକ୍‌ କାର୍ଯ୍ୟାଳୟରୁ ଉଭାନ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋପ ବ୍ଲକ୍‌ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ୧୭ ଫାଇଲ୍‌ ଉଭାନ ହୋଇଥିବା କଥାକୁ ଅସ୍ବିକାର କରିଥିଲେ।