୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ଜାତୀୟସ୍ତରକୁ ଗଲେ ସାଇନା, ଅଙ୍କିତା, ଦେବୀପ୍ରସାଦ, ଅନୁବ୍ରତ

ବାଲେଶ୍ୱର ଅଫିସ, ୨୦।୫-ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ପକ୍ଷରୁ ଆୟୋଜିତ ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୮ଟି ଜିଲାରୁ ବାଳିକା ବିଭାଗରେ ୧୬ ଓ ବାଳକ ବିଭାଗରେ ୫୬ ମୋଟ ୭୨ଜଣ ଖେଳାଳି ଭାଗ ନେଇଛନ୍ତି। ବାଳିକା ବିଭାଗରେ ସାଇନା ସାଲୋନିକା ଚାମ୍ପିୟନ ହୋଇଥିବା ବେଳେ ଅଙ୍କିତା ସାହୁ ରନର୍ସଅପ୍‌ ହୋଇଥିଲେ। ସେହିପରି ବାଳକ ବିଭାଗରେ ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଥିବା ବେଳେ ଅନୁବ୍ରତ ପ୍ରିୟଦର୍ଶନୀ ସାହୁ ରନର୍ସଅପ୍‌ ହୋଇଛନ୍ତି। ଏହି କୃତୀ ପ୍ରତିଯୋଗୀମାନେ ଜୁନ୍‌ ୨୯ ତାରିଖରେ କେରଳର କୋଚିଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଆୟୋଜିତ ମ୍ୟାଚ୍‌ରେ ୧୦ବର୍ଷରୁ କମ୍‌ ମହିଳା ବିଭାଗର ପୂର୍ବତନ ବିଶ୍ୱ ଚାମ୍ପିୟନ ସାଇନା ସାଲୋନିକା ୬ଟି ଯାକ ରାଉଣ୍ଡ ଜିତି ଚାମ୍ପିୟନ ହୋଇଥିଲେ। କଟକର ଅଙ୍କିତା ସାହୁ ୫ଟି ରାଉଣ୍ଡରେ ବିଜୟୀ ହୋଇ ଦ୍ୱିତୀୟସ୍ଥାନ ଅଧିକାର କରିଛନ୍ତି। ସେହିପରି ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ବାଳକ ବିଭାଗରେ ଖୋର୍ଦ୍ଧାର ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଥିବା ବେଳେ ମୟୂରଭଞ୍ଜର ଅନୁବ୍ରତ ପ୍ରିୟଦର୍ଶନୀ ସାହୁ ରନର୍ସଅପ୍‌ ହୋଇଛନ୍ତି। ବାଳକ ବିଭାଗର ମୋଟ ୭ ରାଉଣ୍ଡ ଖେଳରୁ ଦେବୀପ୍ରସାଦ ୬ ରାଉଣ୍ଡ ଜିତିବା ପରେ ଶେଷ ରାଉଣ୍ଡରେ କେନ୍ଦ୍ରାପଡ଼ାର ଆୟୁଷ ରିୟାନ୍‌ ମହାପାତ୍ରଙ୍କ ସହିତ ଖେଳ ଅମିମାଂସିତ ରଖି ଚାମ୍ପିୟନ ହୋଇଛନ୍ତି। ସେହିପରି ଅନୁବ୍ରତ ଶେଷ ରାଉଣ୍ଡରେ ବାଲେଶ୍ୱରର ସିଦ୍ଦେଶ କମିଳାଙ୍କୁ ଦୀର୍ଘ ସଂଘର୍ଷ ପରେ ପରାଜିତ କରି ରନର୍ସଅପ୍‌ ହୋଇଛନ୍ତି। କେରଳରେ ହେବାକୁ ଥିବା ୧୭ବର୍ଷରୁ କମ୍‌ ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଉଭୟ ଓଡ଼ିଶାର ପ୍ରତିନିଧି କରିବା ପାଇଁ ବିବେଚିତ ହୋଇଛନ୍ତି। ୩ ଦିନ ଧରି ଆୟୋଜିତ ଉକ୍ତ ପ୍ରତିଯୋଗିତାକୁ ଉମେଶ ମହାନ୍ତି ଓ ସନ୍ତୋଷ ମହାପାତ୍ର ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲା ଚେସ୍‌ କାର୍ଯ୍ୟନିର୍ବାହୀ ସଭାପତି ପ୍ରଦୀପ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଶିଳ୍ପପତି ହିଂମାଶୁ ଦାସ, ସମ୍ମାନନୀୟ ଅତିଥି ଭାବେ ମେରାଇନ୍‌ ଏକ୍ସପୋର୍ଟର ମୁଖ୍ୟ ଜ୍ଞାନରଞ୍ଜନ ଦାସ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଜିଲା ଚେସ୍‌ ଆସୋସିଏଶନ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ଉପସଭାପତି ସନ୍ଦୀପ୍ତ ସାମନ୍ତରାୟ, ଜିଲା ସମ୍ପାଦକ ମନୋରଞ୍ଜନ ପଣ୍ଡା, ସଭ୍ୟ ଐଶ୍ୱର୍ଯ୍ୟ ସେନାପତି, ଚନ୍ଦନ ସିଂ, ବିଜୟ ତ୍ରିପାଠୀ, ପ୍ରବାଳକାନ୍ତ ମାଇତି ଓ ରଞ୍ଜନ ଭୋଇ ପ୍ରମୁଖ ସହଯୋଗ କରିଥିଲେ।