୧୬ ପରିବାରଙ୍କୁ ଘରଭଡ଼ା ଛାଡ଼ କଲେ ରଘୁନାଥ

କଟକ ଅଫିସ,୨୦ା୪: ସହରରେ ଅଧାରୁ ଅଧିକ ଭଡ଼ାଟିଆ ବାସିନ୍ଦା। ଭଡ଼ା ରହୁଥିବା ଲୋକେ ବି ଅଧିକାଂଶରେ ବ୍ୟବସାୟ, ଛୋଟ ଦୋକାନ କିମ୍ବା କୌଣସି ଘରୋଇ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରନ୍ତି। କରୋନା ପ୍ରଭାବରୁ ହୋଇଥିବା ଲକଡାଉନ ଏବେ ବଳବତ୍ତର ଥିବାରୁ ରୋଜଗାରର ସମସ୍ତ ବାଟ ବନ୍ଦ। ଏଭଳି ପରିସ୍ଥିତିରେ ଭଡ଼ାଟିଆମାନଙ୍କୁ ଘରଭଡ଼ା ଛାଡ଼ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ରୋଭରଷ୍ଟ୍ରିଟ ଅଞ୍ଚଳର ରଘୁନାଥ ଦତ୍ତ। ଗୋଟିଏ କି ଦୁଇଟି ନୁହେଁ, ୧୬ ପରିବାରଠାରୁ ଗୋଟିଏ ମାସର ଘରଭଡ଼ା ନେବେନି ବୋଲି ସେ ଘୋଷଣା କରିଛନ୍ତି। କଟକରେ କୌଣସି ଘର ମାଲିକଙ୍କ ଏଭଳି ନିଷ୍ପତ୍ତି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।
କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଏବେ ଚିନ୍ତିତ। କିଏ ଜୀବନ ପାଇଁ ତ ଆଉ କେହି ଜୀବିକା ପାଇଁ ଲଢେଇ କରୁଛି। କରୋନାର ପ୍ରଭାବରେ ସମସ୍ତେ ପ୍ରଭାବିତ। ନିଜର ମାନବିକତା ଦେଖାଇ ରଘୁନାଥ ସମସ୍ତ ଭଡ଼ାଟିଆଙ୍କ ଘରଭଡ଼ା ଛାଡ କରିଛନ୍ତି। ରଘୁନାଥ ନିଜର ପରିବାର ସହ ରହୁଛନ୍ତି। ରୋଜଗାର କହିଲେ କେବଳ ଘରଭଡ଼ା ବାବଦ ଆୟ। ସାହି କମିଟିର ସାଙ୍ଗଠନିକ ସମ୍ପାଦକ ଭାବେ ତାଙ୍କର ଅନ୍ୟ ପରିଚୟ ମଧ୍ୟ ରହିଛି। ସମାଜିକ କର୍ମୀ ଭାବେ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି। ନିଜ ଭଡ଼ାଟିଆଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଅନ୍ତି। ତାଙ୍କ ଘରେ ୧୬ଟି ପରିବାର ପ୍ରାୟ ୧୦ ବର୍ଷ ହେଲା ରହିଆସୁଛନ୍ତି। ସେମାନଙ୍କ ଏହି ବିପଦ ସମୟରେ ଛିଡା ହେବା ମୋର କର୍ତ୍ତବ୍ୟ ବୋଲି ରଘୁନାଥ କହିବା ସହ ଗୋଟିଏ ମାସରେ ଘରାଭଡ଼ା ଛାଡ କରିଛନ୍ତି। ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେଲେ ଘର ଭଡ଼ା ସମ୍ପୂର୍ଣ୍ଣ ଛାଡ କରିଦେବେ ବୋଲି ରଘୁନାଥ କହିଛନ୍ତି।